ନ୍ୟୁଜ ଡେକ୍ସ :ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରା ନୀତି ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହା ସହିତ ରେପୋ ହାର ୫.୫୦%ରୁ କମି ୫.୨୫%ରେ ପହଞ୍ଚିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଏହି ନୂଆ ରେପୋ ହାର ତୁରନ୍ତ କାର୍ଯ୍ୟକାରୀ ହେବ।ରେପୋ ହାର ହ୍ରାସ ଫଳରେ ଗୃହ ଋଣ ସହିତ ସମସ୍ତ ପ୍ରକାର ଋଣର ଇଏମଆଇ କମିବ ବୋଲି ଆଶା କରାଯାଉଛି।
ଏହା ସହିତ ବ୍ୟାଙ୍କଗୁଡିକ କମ ହାରରେ ଋଣ ପ୍ରଦାନ କରିବାକୁ ସକ୍ଷମ ହେବେ, ଯାହା ଆର୍ଥିକ ବ୍ୟବସ୍ଥାକୁ ଗତି ଦେବ।ଆରବିଆଇ ଚଳିତ ୨୦୨୫ ବର୍ଷରେ ଲଗାତାର ଚତୁର୍ଥଥର ପାଇଁ ରେପୋ ହାର ହ୍ରାସ କରିଛି। ଫେବୃଆରୀରେ ୨୫ ବେସିସ୍ ପଏଣ୍ଟ, ଏପ୍ରିଲରେ ପୁଣି ୨୫ ବେସିସ୍ ପଏଣ୍ଟ ଏବଂ ଜୁନରେ ସବୁଠାରୁ ବଡ଼ ୫୦ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। ଏବେ ଆଉ ୨୫ ବେସିସ୍ ପଏଣ୍ଟ କଟୋତି ସହିତ ଚଳିତ ବର୍ଷରେ ମୋଟ୍ ୧୨୫ ବେସିସ୍ ପଏଣ୍ଟ ବା ୧.୨୫% ରେପୋ ହାର ହ୍ରାସ ହୋଇଛି। ଏହା ପୂର୍ବରୁ ଦୁଇଥର ରେପୋ ହାର ସ୍ଥିର ରଖାଯାଇଥିଲା।
ରେପୋ ହାର ହ୍ରାସର ସିଧା ପ୍ରଭାବ ଷ୍ଟକ୍ମାର୍କେଟ୍ରେ ଦେଖିବାକୁ ମିଳିଛି। ସେନସେକ୍ସ ୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୮୫,୫୦୦ ପଏଣ୍ଟ ଉପରେ କାରବାର କରୁଛି। ସେହିପରି ନିଫ୍ଟି ୭୫ ପଏଣ୍ଟ ବୃଦ୍ଧି ପାଇ ୨୬,୧୧୦ ଅଙ୍କରେ ରହିଛି। ଅନ୍ୟପଟେ ବ୍ୟାଙ୍କ ଶେୟରରେ ଜୋରଦାର ଚାହିଦା ଦେଖାଦେବାରୁ ନିଫ୍ଟି ବ୍ୟାଙ୍କ ୩୬୪ ପଏଣ୍ଟ ବୃଦ୍ଧି ପାଇଛି।ଆରବିଆଇର ଏହି ପଦକ୍ଷେପକୁ ସାଧାରଣ ଉପଭୋକ୍ତା, ଗୃହ ଋଣ ଗ୍ରାହକ ଏବଂ ଶିଳ୍ପ ଜଗତ ପାଇଁ ଏକ ରାହତର ଖବର ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

