ନ୍ୟୁଜ ଡେକ୍ସ : ଗୋଆର ଏକ ପ୍ରସିଦ୍ଧ ନାଇଟ୍ କ୍ଲବରେ ଘଟିଛି ଏକ ଭୟାବହ ଓ ଦୁଃଖଦ ଦୁର୍ଘଟଣା। ବିଳମ୍ବିତ ରାତିରେ ରୋଷେଇ ଘରରେ ସିଲିଣ୍ଡର ବିସ୍ଫୋରଣ ହେବାରୁ ଭୟଙ୍କର ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଘଟଣାସ୍ଥଳରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ଖବର ମିଳିଛି।
ନାଇଟ୍ କ୍ଲବର କିଛି ରୋଷେଇ କର୍ମଚାରୀ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି, ସେହି ନାଇଟ୍ କ୍ଲବଟି ଗୋଆର ରାଜଧାନୀ ପାନାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂର ଅର୍ପୋରା ଗାଁରେ ଅବସ୍ଥିତ ‘ବିର୍ଚ ବାଏ ରୋମିଓ ଲେନ୍’ ନାମକ ଏକ ଲୋକପ୍ରିୟ ପାର୍ଟି ଭେନ୍ୟୁ। ଏହି ନାଇଟ୍ କ୍ଲବ୍ଟି ୨୦୨୪ ମସିହାରେ ଖୋଲାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରୋଷେଇ କରାଯାଉଥିବାବେଳେ ହଠାତ୍ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ନାଇଟ୍ କ୍ଲବକୁ ନିଆଁ ଗ୍ରାସ କରିଥିଲା। ବିସ୍ଫୋରଣ ପରେ ଭୟଭୀତ ଲୋକେ ପ୍ରାଣ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ଆସିଥିଲେ।ଘଟଣା ସୂଚନା ପାଇଲା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।
ସ୍ଥାନୀୟ ଲୋକମାନେ ମଧ୍ୟ ଅଗ୍ନିଶମ ବାହିନୀଙ୍କୁ ନିଆଁ ଲିଭାଇବାରେ ସହାୟତା କରିଥିଲେ। ଗୋଆ ପୋଲିସ ମୁଖ୍ୟ ଡିଜିପି ଆଲୋକ କୁମାର ଓ ବିଭିନ୍ନ ଥାନାର ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଘଟଣା ବିଷୟରେ ଜାଣିବା ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବ୍ୟକ୍ତିଗତ ଭାବରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଓ ନାଇଟ୍ କ୍ଲବ ପରିଚାଳନା ସହ ପଚରାଉଚରା କରିଥିଲେ। ସେ ଏହି ଦୁର୍ଘଟଣା ଉପରେ ମ୍ୟାଜିଷ୍ଟ୍ରେଟ୍ ତଦନ୍ତର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର ଗୋଆରେ ଶୋକର ଛାୟା ଛାଇଯାଇଛି।

