Mon. Feb 23rd, 2026

ନ୍ୟୁଜ ଡେକ୍ସ : ୨୦୧୭ ମସିହାରେ ଘଟିଥିବା ଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାରେ ମାଲାୟଲମ ଅଭିନେତା ଦିଲ୍ଲୀପଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେରଳର କୋଚି ସ୍ଥିତ ଏକ ସେସନ୍ସ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେହି ସମୟରେ କୋର୍ଟ ଏହି ମାମଲାରେ ଜଡିତ ଥିବା ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରିଛନ୍ତି।ସେସନ୍ସ ବିଚାରପତି ହନି ଏମ୍. ଭାର୍ଗୀସ୍ ଏହି ମାମଲାର ଶୁଣାଣି କରିଥିଲେ।

ଗତ ୮ ବର୍ଷ ଧରି ଏହି ମାମଲା ବିଚାରାଧୀନ ରହିଥିଲା। ଦିଲ୍ଲୀପ ଏହି ମାମଲାରେ ଅଷ୍ଟମ ଅଭିଯୁକ୍ତ ଭାବରେ ସାମିଲ ଥିଲେ। କୋର୍ଟ ଦିଲ୍ଲୀପ ସହ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ସୂଚନା ମୁତାବକ, ୧୭ ଫେବୃଆରୀ ୨୦୧୭ରେ ଜଣେ ପ୍ରସିଦ୍ଧ ତାମିଲ ଓ ମାଲାୟଲମ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ କିଛି ଦୁଷ୍କର୍ମକାରୀ ଅପହରଣ କରିଥିଲେ। ଏକ ଚଳନ୍ତା କାରରେ ଦୁଇ ଘଣ୍ଟା ଧରି ତାଙ୍କ ଉପରେ ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଥିଲେ। ଏହି ଚର୍ଚ୍ଚିତ ଘଟଣା ସରା ଦେଶରେ ଭାରି ଚର୍ଚ୍ଚା ସୃଷ୍ଟି କରିଥିଲା।ତଦନ୍ତ ପରେ ଅଭିନେତା ଦିଲ୍ଲୀପଙ୍କ ସମେତ ଅନେକଙ୍କୁ ଏହି ମାମଲାରେ ସାମିଲ କରାଯାଇଥିଲା।

କିନ୍ତୁ ଦିଲ୍ଲୀପ ପ୍ରଥମ ଦିନରୁ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସୁଥିଲେ। ଏବେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ ଅନ୍ୟ ୬ ଜଣ ଦୋଷୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ, ତାଙ୍କର ଦଣ୍ଡ ଘୋଷଣା ୧୨ ଡିସେମ୍ବରରେ କରାଯିବ ବୋଲି ଜଣାପଡ଼ିଛି। ଦିଲ୍ଲୀପଙ୍କୁ ନିର୍ଦ୍ଦୋଷ କରାଯିବାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନଥିବା ବେଳେ, ଦଣ୍ଡ ଘୋଷଣା ପରେ ସମସ୍ତ ଦସ୍ତାବିଜ ସାଧାରଣରେ ଆସିବ ବୋଲି କୋର୍ଟ କହିଛନ୍ତି। କୋର୍ଟରୁ ଖଲାସ ପରେ ଦିଲ୍ଲୀପ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଏହି ମାମଲା ମୋ କ୍ୟାରିଅରକୁ ଭାରି କ୍ଷତି ପହଞ୍ଚାଇଥିଲା, କିନ୍ତୁ ମୁଁ ସତ୍ୟରେ ଆସ୍ଥା ରଖିଥିଲି।”

Leave a Reply

Your email address will not be published. Required fields are marked *