ନ୍ୟୁଜ ଡେକ୍ସ : ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଦିନ ଦ୍ୱିପହରରେ ଏପରି ଗୁରୁତର ଘଟଣା ଘଟିଥିଲେ ମଧ୍ୟ ପୋଲିସ ପ୍ରଶାସନ ଓ ସରକାର ନିରବଦ୍ରଷ୍ଟା ସାଜି ରହିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନିଆଯିବାକୁ ସେ ଦୁଃଖଜନକ ବୋଲି କହିଛନ୍ତି। ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରସୟ ଦେଇ ବିଜେପି ସରକାର କ’ଣ ସନ୍ଦେଶ ଦେବାକୁ ଚାହୁଁଛି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଶାନ୍ତିପ୍ରିୟ ଓଡ଼ିଶାବାସୀ ଏପରି ଘଟଣାକୁ କଦାପି ଗ୍ରହଣ କରିବେ ନାହିଁ ବୋଲି ସେ କହିଥିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପଟେ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକମାନେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଗିରଫ ଦାବିରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ମୁଖ୍ୟାଳୟ ଆଗରେ ରାତି ସାରା ଧାରଣାରେ ବସିଥିଲେ।ପ୍ରଣବ ବଳବନ୍ତରାୟ ଅଭିଯୋଗ କରି କହିଛନ୍ତି ଯେ, ଧର୍ମଶାଳାରେ ସ୍ଥାନୀୟ ବିଧାୟକ ଅରାଜକତା ସୃଷ୍ଟି କରିଛନ୍ତି। ପୂର୍ବରୁ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ କରାଯାଇଥିବା ବେଳେ, ଆଜି ଘରେ ପଶି ସମର୍ଥକଙ୍କ ଉପରେ ଆକ୍ରମଣ କରାଯାଇଛି। ଜିଲ୍ଲା ପୋଲିସ ଉପରେ ଭରସା ନଥିବାରୁ ଡିଜିଙ୍କୁ ଭେଟିବାକୁ ଆସିଥିବା ସେ କହିଛନ୍ତି। ଯେପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରଣବ ବଳବନ୍ତରାୟ ସଚେତନ କରିଛନ୍ତି।

