ନ୍ୟୁଜ ଡେକ୍ସ : କଂଗ୍ରେସ ପକ୍ଷରୁ ପ୍ରାଥମିକ ସଦସ୍ୟତାରୁ ବହିଷ୍କୃତ ହେବା ପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଲେଖା ଚିଠିକୁ ଗୁରୁତ୍ୱର ସହ ଗ୍ରହଣ କରିଥିବାରୁ ସେ ମିଡିଆକୁ ଧନ୍ୟବାଦ ଜଣାଉଛନ୍ତି ଏବଂ ପରବର୍ତ୍ତୀ ସମୟରେ କଂଗ୍ରେସ ନିଶ୍ଚୟ କିଛି ପଦକ୍ଷେପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି।
ମୋକିମ୍ କହିଛନ୍ତି ଯେ, କଂଗ୍ରେସ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି, କିନ୍ତୁ ତାଙ୍କ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେ ନାହିଁ। ସେ କହିଛନ୍ତି, ଦଳରେ ସୁଧାର ଆସିବ ବୋଲି ଭାବିଥିଲେ, କିନ୍ତୁ ସୁଧାର ପରିବର୍ତ୍ତେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦଳକୁ ଆଇନ୍ ଓ ନିୟମ ଦେଖାଇବା ପାଇଁ ଯଦି ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି, ସେ ଏହାକୁ ସ୍ୱୀକାର କରୁଛନ୍ତି ବୋଲି ସେ କହିଛନ୍ତି।ପୂର୍ବତନ ବିଧାୟକ ମୋକିମ୍ ଆହୁରି କହିଛନ୍ତି ଯେ, ସେ ୨୪ ଘଣ୍ଟା ସମାଜ ପାଇଁ କାମ କରିବେ ଏବଂ ରାଜନୀତି ତାଙ୍କ ପାଇଁ କେବଳ ଗୋଟିଏ ପ୍ଲାଟଫର୍ମ।
ରାଜନୀତିରୁ ସେ କେବେ ବିରାମ ନେବେ ନାହିଁ ଏବଂ ଆଗକୁ ମଧ୍ୟ ତାଙ୍କର ରାଜନୀତିକ ଯାତ୍ରା ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ମୋକିମ୍ କହିଛନ୍ତି ଯେ, ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ସହ ଆଲୋଚନା ପରେ ହିଁ ସେ ପରବର୍ତ୍ତୀ ପଦକ୍ଷେପ ନେବେ।
ରାହୁଲ ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଛନ୍ତି, “କଂଗ୍ରେସ କାହାକୁ ଡରେନି” — ଏହି ବିଚାରଧାରାକୁ ଅନୁସରଣ କରି ସେ ନିର୍ଭୟ ଭାବେ ଚିଠି ଲେଖିଥିଲେ। କିନ୍ତୁ ଏହା ପରିଣାମରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ବୋଲି ସେ କହିଛନ୍ତି।ନିଜ କଥାରେ ସେ କୌଣସି ଅନୁଶୋଚନା ନଥିବା କଥା କହିଥିବା ସହ ଆଗାମୀ ଦିନରେ ତାଙ୍କ ନିଷ୍ପତ୍ତି କଂଗ୍ରେସ ପାଇଁ ଭଲ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

