Wed. Feb 25th, 2026

ନ୍ୟୁଜ ଡେକ୍ସ : ଚାଲିଛି ପର୍ଯ୍ୟଟନ ଋତୁ। ଏହି ସମୟରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ଏହା ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ଆଗମନ ବେଶ ବଢ଼ିଛି। ବନ ବିଭାଗର ସୂଚନା ଅନୁଯାୟୀ, ରବିବାର ମାତ୍ର ଗୋଟିଏ ଦିନରେ ୨୮୬୪ ଜଣ ପର୍ଯ୍ୟଟକ ଜାତୀୟ ଉଦ୍ୟାନକୁ ଦର୍ଶନ କରିଥିଲେ।

ପର୍ଯ୍ୟଟକମାନେ ବୋଟ୍‌ରେ ବସି ନଦୀ ଭ୍ରମଣ କରିବା ସମୟରେ ନଦୀପଠାରେ ଶୋଇ ରହିଥିବା କୁମ୍ଭୀର, ହରିଣ ଏବଂ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀକୁ ନିକଟରୁ ଦେଖି ବେଶ ଆକୃଷ୍ଟ ହୋଇଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଏହି ଦୃଶ୍ୟ ପର୍ଯ୍ୟଟକଙ୍କୁ ଅଦ୍ଭୁତ ଅନୁଭୂତି ଦେଇଥିଲା।ଭିତରକନିକା ସେଲଫି ପଏଣ୍ଟ୍‌ରେ ଫଟୋ ଉଠାଇବାକୁ ପର୍ଯ୍ୟଟକମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ସ୍କାଏୱାକ୍‌ରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଚାଲିବା ସହ ନୂଆ ଅନୁଭୂତି ସାଉଣ୍ଟିଥିଲେ।

ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ପର୍ଯ୍ୟଟକମାନେ ଅଧିକ ସମୟ ଅତିବାହିତ କରିଥିଲେ। ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ‘ଶ୍ୱେତା’କୁ ନିକଟରୁ ଦେଖି ପର୍ଯ୍ୟଟକମାନେ ବେଶ ଉପଭୋଗ କରିଥିଲେ।ପର୍ଯ୍ୟଟନ ଋତୁ ଚାଲିଥିବାରୁ ଆଗାମୀ ଦିନରେ ଭିତରକନିକାରେ ପର୍ଯ୍ୟଟକ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *