ନ୍ୟୁଜ ଡେକ୍ସ : ଜାଡରେ ଥରହର ହେଉଛି ସାରା ଓଡ଼ିଶା। ରାଜ୍ୟରେ ଶୀତର ପ୍ରକୋପ ଏବେ ଚରମ ସୀମାରେ ପହଞ୍ଚିଛି ଏବଂ ଏଭଳି ପରିସ୍ଥିତି ଆଗାମୀ କିଛି ଦିନ ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ଦିନରେ ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ସେଲସିଅସ୍ ଯାଏ ବଢ଼ିପାରେ।
ପାଣିପାଗ ବିଭାଗ କହିଛି ଯେ ୩୦ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ଅଧିକ ଶୀତ ଅନୁଭବ ହେବନି ଏବଂ ପାଗ ଆପେକ୍ଷିକ ଭାବେ ଆରାମଦାୟକ ରହିବ। ତଥାପି, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ରହିବ।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସୋମବାର ଫୁଲବାଣୀରେ ରାତି ତାପମାତ୍ରା ୬ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ ଏବଂ ବୌଦ୍ଧ ଓ ନବରଙ୍ଗପୁରରେ ୮ ଡିଗ୍ରୀ ସେଲସିଅସ୍ ରହିପାରେ। ଉପକୂଳ ଓଡ଼ିଶାରେ ତୁଳନାମୂଳକ ଭାବେ କମ୍ ଶୀତ ଅନୁଭବ ହେବ ଓ ଏଠାରେ ରାତି ତାପମାତ୍ରା ୧୨ ରୁ ୧୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି।
ଶୀତର ପ୍ରକୋପର ଏକ ଚିତ୍ର ଦେଖାଉଥିବା ତଥ୍ୟ ଅନୁଯାୟୀ, ଗତ ଶନିବାର ଜି. ଉଦୟଗିରିରେ ସବୁଠୁ କମ୍ ୫.୬ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଥିଲା। ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରାତି ତାପମାତ୍ରା ରହିଥିଲା।ଅନୁଗୁଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩.୯ ଡିଗ୍ରୀ କମ୍ ଥିବାବେଳେ, କୋରାପୁଟରେ ୩.୬ ଡିଗ୍ରୀ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୨.୧ ଡିଗ୍ରୀ ସ୍ୱାଭାବିକଠାରୁ କମ୍ ରହିଥିଲା।ପାଣିପାଗ ବିଭାଗ ପକ୍ଷରୁ ଶୀତର ପ୍ରଭାବ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ଶୀତରୁ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

