Sun. Feb 22nd, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍‌ ଦରଘାକୁ ବାର୍ଷିକ ଚାଦର ପଠାଯିବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହା ବିରୋଧରେ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା (PIL) ଦାଖଲ କରାଯାଇଛି। ତେବେ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ସିଂହ ଏବଂ ବିଷ୍ଣୁ ଗୁପ୍ତାଙ୍କ ପକ୍ଷରୁ ଏହି ଆବେଦନ ଦାୟର କରାଯାଇଛି। ଆବେଦନରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଆଜମେର ଶରିଫ୍‌ ଦରଘାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ବାର୍ଷିକ ଭାବେ ଚାଦର ଅର୍ପଣ ପ୍ରଥାକୁ ତୁରନ୍ତ ବନ୍ଦ କରିବା ଦାବି କରାଯାଇଛି।ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ଖଣ୍ଡପୀଠରେ ଏହି ମାମଲା ଉଠାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ତୁରନ୍ତ ଶୁଣାଣି କରିବା ପାଇଁ ଦାବି କରାଯାଇଥିଲେ ମଧ୍ୟ, ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି।

ଆବେଦନରେ କୁହାଯାଇଛି ଯେ, ଆଜମେର ଶରିଫ୍‌ରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ୮୧୪ତମ ବର୍ଷ ଉର୍ସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଚାଦର ଅର୍ପଣ କରାଯିବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁସାରେ, ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କିରେନ୍‌ ରିଜିଜୁ ଏହି ଚାଦର ପିଏମ୍‌ ମୋଦିଙ୍କ ପକ୍ଷରୁ ଅର୍ପଣ କରିବେ। ଏହା ଉପରେ ରୋକ୍‌ ଲଗାଇବାକୁ ଆବେଦନରେ ଦାବି କରାଯାଇଛି।ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଆଜମେର ଦରଘା ସ୍ଥାନରେ ପୂର୍ବରୁ ଭଗବାନ ଶିବଙ୍କ ମନ୍ଦିର ଥିଲା ଏବଂ ଏହି ସମ୍ପର୍କରେ ମାମଲା ଦୀର୍ଘ ଦିନ ଧରି କୋର୍ଟରେ ବିଚାରାଧୀନ ଅଛି। ତେଣୁ ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଚାଦର ଅର୍ପଣ ଭୁଲ ବୋଲି ଦାବି କରାଯାଇଛି।

ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, “ଚାଦର ଦେଶର ପ୍ରଗତି ଓ ଲୋକଙ୍କ ମଙ୍ଗଳ ପାଇଁ ଅର୍ପଣ କରାଯାଉଛି। ଏହାର ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ। କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇନାହିଁ, ତେଣୁ ମୁଁ ଚାଦର ଅର୍ପଣ ପାଇଁ ଯିବି।” ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆଜମେର ଦରଘାକୁ ଚାଦର ପଠାଯାଉଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦି ସେହି ପରମ୍ପରାକୁ ଅବ୍ୟାହତ ରଖିଛନ୍ତି। ଏହି କାରଣରୁ ତୁରନ୍ତ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *