ନ୍ୟୁଜ ଡେକ୍ସ : ଟି-୨୦ କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ଟି-୨୦ ବିଶ୍ୱକପ୍–୨୦୨୬ ଆସନ୍ତା ବର୍ଷ ଫେବୃଆରୀ ଓ ମାର୍ଚ୍ଚ ମାସରେ ଆୟୋଜିତ ହେବ। ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଟି-୨୦ ବିଶ୍ୱକପ୍ର ମ୍ୟାଚ୍ଗୁଡ଼ିକ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ।ଏହି ମହାମଞ୍ଚ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି।
ଟି-୨୦ ଫର୍ମାଟରେ ଦମଦାର ପ୍ରଦର୍ଶନ କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ୨୦୨୬ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକର ଦାୟିତ୍ୱ ଦିଆଯାଇଛି।ଏଥର ଦଳ ଚୟନରେ କିଛି ଚମକପ୍ରଦ ନିଷ୍ପତ୍ତି ଦେଖିବାକୁ ମିଳିଛି। ଶୁଭମନ ଗିଲ ଏବଂ ଜିତେଶ ଶର୍ମା ୧୫ ଜଣିଆ ଦଳରେ ସ୍ଥାନ ପାଇନାହାନ୍ତି।
ଅନ୍ୟପଟେ, ସୟଦ ମୁସ୍ତାକ ଅଲି ଟ୍ରଫିରେ ୫୦୦ରୁ ଅଧିକ ରନ କରି ଦୃଷ୍ଟିଆକର୍ଷଣ କରିଥିବା ଇଶାନ କିଶାନଙ୍କୁ ପୁଣିଥରେ ଦଳରେ ସୁଯୋଗ ମିଳିଛି। ଏହା ସହ ରିଙ୍କୁ ସିଂହ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ନୂଆ ନେତୃତ୍ୱ ଓ ଯୁବ-ଅନୁଭବର ସମନ୍ୱୟ ସହିତ ଏଥର ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ରେ ଶିରୋପା ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।

