ନ୍ୟୁଜ ଡେକ୍ସ : ରାସ୍ତା ଖୋଳି ଜଳଯୋଗାଣ ପାଇପ ଲାଇନର ଲିକେଜ ମରାମତି ପରେ ପୁନଃରୁଦ୍ଧାର କାମ ଅଧାରେ ଛାଡ଼ିଦେବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୱାଟକୋ ପକ୍ଷରୁ ରାସ୍ତା ଖୋଳାଯାଇ ପାଇପ ଲାଇନରେ ଥିବା ଜଳକ୍ଷରଣ ମରାମତି କରାଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗର ଏସଓପି ଅନୁଯାୟୀ ରାସ୍ତାର ସଠିକ ପୁନଃରୁଦ୍ଧାର କରାଯାଇନଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ କଟକରୋଡ଼ର ମ୍ୟାଙ୍ଗୋ ଓ ପ୍ରଜ୍ଞା ହୋଟେଲ ସମ୍ମୁଖ ବ୍ୟସ୍ତବହୁଳ ରାସ୍ତା ମଝିରେ ଗତ ସପ୍ତାହେରୁ ଅଧିକ ସମୟ ଧରି ଏଭଳି ସ୍ଥିତି ଲାଗିରହିଛି । ରାସ୍ତା ମଝିରେ ଖୋଳାଯାଇଥିବା ଖାଲକୁ କେବଳ ମାଟି ପକାଇ ଅସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବାରୁ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହେଉଛି । ସେଠାରେ ଥିବା ସୁରକ୍ଷା ବାରିକେଡ ମଧ୍ୟ ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି ।ଏହି ଅଧାପନ୍ତରିଆ କାମ ଯୋଗୁଁ ପ୍ରତିଦିନ ଯାତାୟାତ କରୁଥିବା ଲୋକେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକଙ୍କ ପାଇଁ ଏହା ବିପଦସଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି । ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ବଢ଼ିଛି ।
ସୂଚନା ଅନୁସାରେ ଗତ ପ୍ରାୟ ମାସେ ଧରି ସେଠାରେ ରାସ୍ତା ତଳେ ଯାଇଥିବା ଜଳଯୋଗାଣ ପାଇପ ଲାଇନରୁ ପାଣି ଲିକ୍ ହୋଇ ରାସ୍ତା ଉପରେ ବୋହୁଥିଲା । ପ୍ରଥମେ ୱାଟକୋ ପକ୍ଷରୁ ମରାମତି ପ୍ରୟାସ ହୋଇଥିଲେ ମଧ୍ୟ ସେଥିରେ ସଫଳତା ମିଳିନଥିଲା । ପରେ ଜନସାଧାରଣଙ୍କ ଅଭିଯୋଗ ପରେ ପୁଣିଥରେ ମରାମତି କାମ କରାଯାଇଥିଲା ।ତେବେ ପୂର୍ତ୍ତ ବିଭାଗର ନିୟମ ଅନୁଯାୟୀ ରାସ୍ତାକୁ ପୂର୍ବବତ୍ ସ୍ଥିତିକୁ ଫେରାଇବା ପାଇଁ ଯେପରି ପୁନଃରୁଦ୍ଧାର କରାଯିବା କଥା, ତାହା ଏପର୍ଯ୍ୟନ୍ତ ହୋଇନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

