ନ୍ୟୁଜ ଡେକ୍ସ : ଅନଲାଇନ ଟ୍ରେଡିଂ ଓ ନିବେଶ ନାଁରେ ଲୋକମାନଙ୍କୁ ଲୁଟିବା ଏକ ବଡ଼ ଠକେଇ ଚକ୍ରକୁ EOW (ଆର୍ଥିକ ଅପରାଧ ଶାଖା) ଭାଙ୍ଗି ଦେଇଛି। ଦୁଇ କୋଟି ଟଙ୍କାରୁ ଅଧିକ ଠକେଇ ମାମଲାରେ ଭୁବନେଶ୍ୱରରୁ ତିନି ଜଣ ଅଭିଯୁକ୍ତଙ୍କୁ EOW ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ପଟିଆର ବିକ୍ରମ କେଶରୀ ସାହୁ, ସୌଭାଗ୍ୟ ନଗରର ଦିନେଶ ମହାରଣା ଏବଂ ସହିଦନଗରର ସର୍ବନମ ସାବତ।
ଅଭିଯୁକ୍ତମାନେ ବିଭିନ୍ନ କମ୍ପାନୀ ନାଁରେ ଟଙ୍କା ଲଗାଇ ଅଧିକ ସୁଧ ଓ ମୁନାଫା ଲୋଭ ଦେଖାଇ ଓଡ଼ିଶା ସମେତ ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଠକେଇ କରୁଥିବା ଅଭିଯୋଗ ରହିଛି।EOW ତଦନ୍ତରେ ପ୍ରକାଶ ପାଇଛି ଯେ, ଏମାନେ ହୋଟେଲ ଓ ମଲରେ ମିଟିଂ ଆୟୋଜନ କରି ଲୋକଙ୍କୁ ବଡ଼ ମୁନାଫାର ଆଶ୍ୱାସନ ଦେଇ ଟଙ୍କା ନିବେଶ କରାଉଥିଲେ।
ପରେ ସେଇ ଟଙ୍କାକୁ ଅନଲାଇନ ଟ୍ରେଡିଂ ନାଁରେ ଅନ୍ୟତ୍ର ହେରାପେରା କରି ଲୋକମାନଙ୍କୁ ଠକୁଥିଲେ।ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ EOW ଫ୍ରିଜ କରିଛି। ଏହି ଠକେଇ ସହିତ ଜଡିତ ଅନ୍ୟାନ୍ୟ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।

