Fri. Apr 17th, 2026

ନ୍ୟୁଜ ଡେକ୍ସ : ୨୦୨୫ ମସିହାରେ କଟକ ସହରର ଅପରାଧ ଚିତ୍ର ପୋଲିସ ପାଇଁ ଗଭୀର ଚିନ୍ତାର କାରଣ ପାଲଟିଛି। ସହରରେ ଥିବା ୨୧ଟି କାର୍ଯ୍ୟରତ ଥାନାରେ ଚଳିତ ବର୍ଷ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ ହୋଇଛି, ଯାହା ୨୦୨୪ ମସିହା ତୁଳନାରେ ପ୍ରାୟ ୨ ହଜାର ଅଧିକ। ଗତବର୍ଷ ଏହି ୨୧ଟି ଥାନାରେ ୭ ହଜାର ୨୬୮ଟି କେସ୍ ରୁଜୁ ହୋଇଥିବା ବେଳେ, ଏହି ବର୍ଷ ହଠାତ୍ ଏତେ ବଡ଼ ବୃଦ୍ଧି ହେବା ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।

ବର୍ତ୍ତମାନ କଟକ ସହରରେ ମୋଟ ୨୪ଟି ଥାନା ରହିଛି। ସେଥିମଧ୍ୟରୁ ୧୯ଟି ସାଧାରଣ ଥାନା, ଗୋଟିଏ ମହିଳା ଥାନା, ଗୋଟିଏ ସାଇବର ଥାନା, ଗୋଟିଏ ବିଦ୍ୟୁତ୍ ଥାନା ଓ ଦୁଇଟି ଟ୍ରାଫିକ୍ ଥାନା ଅଛି। ହେଲେ ବିଦ୍ୟୁତ୍ ଥାନା ପ୍ରାୟ ଅଚଳ ଅବସ୍ଥାରେ ରହିଥିବାବେଳେ, ଦୁଇଟି ଟ୍ରାଫିକ୍ ଥାନାରେ ସାଧାରଣ ଆପରାଧିକ କେସ୍ ରୁଜୁ କରାଯାଏନାହିଁ। ଏହାକୁ ବାଦ୍ ଦେଲେ ଅନ୍ୟ ୨୧ଟି ଥାନାର ଆଙ୍କଡା ହିଁ ମୂଳତଃ ସହରର ଅପରାଧ ଚିତ୍ରକୁ ସାମ୍ନାକୁ ଆଣୁଛି। ସବୁଠୁ ଚିନ୍ତାଜନକ ଆଙ୍କଡା କଟକ ସଦର ଥାନାରୁ ସାମ୍ନାକୁ ଆସିଛି। ଚଳିତ ବର୍ଷ କେବଳ ସଦର ଥାନାରେ ୯୭୪ଟି କେସ୍ ରୁଜୁ ହୋଇଛି, ଯାହା ପ୍ରାୟ ରେକର୍ଡ ସଂଖ୍ୟା ବୋଲି କୁହାଯାଉଛି।

ଗତବର୍ଷ ଏଠାରେ ୭୧୭ଟି କେସ୍ ରୁଜୁ ହୋଇଥିବା ବେଳେ, ମାତ୍ର ଗୋଟିଏ ବର୍ଷରେ ପ୍ରାୟ ୨୫୦ରୁ ଅଧିକ କେସ୍ ବୃଦ୍ଧି ପାଇଛି। ଏହି ହଠାତ୍ ବୃଦ୍ଧି ସଦର ଥାନା ପୋଲିସ ପାଇଁ ମୁଣ୍ଡବେଥା ସୃଷ୍ଟି କରିଛି।ପୋଲିସର କିଛି ଅଧିକାରୀଙ୍କ କହିବା ଅନୁସାରେ, ଗାଡ଼ି ଯାଞ୍ଚ ସମୟରେ ରୁଜୁ ହେଉଥିବା କେସ୍, ସାଇବର ଅପରାଧ ଓ ଅବକାରୀ ସମ୍ପର୍କିତ ମାମଲା ବଢ଼ିବାରୁ ସାର୍ବିକ ଆଙ୍କଡା ଉପରକୁ ଯାଇଛି। ତେବେ ଅନ୍ୟପଟେ ଥାନାସ୍ତରୀୟ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ, ଚଳିତ ବର୍ଷ ପ୍ରାୟ ସମସ୍ତ ଥାନାରେ କଳିଝଗଡ଼ା, ବ୍ୟକ୍ତିଗତ ବିବାଦ ଓ ସାମାନ୍ୟ ଘଟଣାକୁ ନେଇ ମାମଲା ଅହେତୁକ ଭାବେ ବୃଦ୍ଧି ପାଇଛି।

ଗୋଟିଏ ବର୍ଷ ମଧ୍ୟରେ କଟକ ପରି ଏକ ପ୍ରମୁଖ ସହରରେ ପ୍ରାୟ ୨ ହଜାର ଅଧିକ କେସ୍ ରୁଜୁ ହେବା ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ପୋଲିସ ମହଳ ମନେ କରୁଛି। ଏହି ଆଙ୍କଡା କେବଳ ଅପରାଧ ବୃଦ୍ଧିର ସଙ୍କେତ ନୁହେଁ, ବରଂ ସହରର ସାମାଜିକ ସ୍ଥିତି, ଆଇନ-ଶୃଙ୍ଖଳା ଓ ପୋଲିସିଂ ପ୍ରଣାଳୀକୁ ନେଇ ଗଭୀର ସମୀକ୍ଷାର ଆବଶ୍ୟକତା ଥିବାକୁ ମଧ୍ୟ ଦର୍ଶାଉଛି।

Leave a Reply

Your email address will not be published. Required fields are marked *