Mon. Dec 23rd, 2024

ନ୍ୟୁଜ ଡେକ୍ସ: ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ପୁଷ୍ପାରାଜ ଅଲ୍ଲୁ ଅର୍ଜୁନ ଗିରଫ ହେବାକୁ ନେଇ ତେଜିଛି ରାଜନୀତି। ସାଉଥ ସୁପରଷ୍ଟାରଙ୍କୁ ଗିରଫ କରି ଆଜି କୋର୍ଟରେ ହାଜର କରିଥିଲା ପୁଲିସ। ପରେ ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଛନ୍ତି କୋର୍ଟ। ଯାହାକୁ ନେଇ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରକୁ ଟାର୍ଗେଟ କରିଛି ତେଲେଙ୍ଗାନାର ବିରୋଧୀ ଦଳ BRS। ଅନ୍ୟପଟେ ଆଇନ ଆଗରେ ସମସ୍ତେ ସମାନ ବୋଲି ସଫେଇ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଏହି ମାମଲାରେ କେହି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ସମୟରେ ହୋଇଥିବା ଦଳାଚକଟାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା ଏବଂ ତାଙ୍କ ପୁଅ ଗୁରୁତର ହୋଇଥିଲେ । ଏହି ମାମଲାରେ ହାଇଦ୍ରାବାଦ ପୋଲିସ ଆଜି (ଶୁକ୍ରବାର) ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିନେତାଙ୍କ ଗିରଫଦାରୀ ମାମଲାରେ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ ରହିବ ନାହିଁ ବୋଲି ଆନୁଷ୍ଠାନିକ ଭାବେ କହିଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳଚକଟା ମାମଲାରେ ଅଲ୍ଲୁ ଅର୍ଜୁନ, ତାଙ୍କର ସୁରକ୍ଷା କର୍ମୀ ଏବଂ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଏବଂ ୧୧୮ (୧) ଅଧୀନରେ ମାମଲା ରୁଜୁ କରିଛି ହାଇଦ୍ରାବାଦ ପୋଲିସ । ଅଭିନେତାଙ୍କ ପୂର୍ବରୁ ଥିଏଟରର ମାଲିକ ଏବଂ ଦୁଇ କର୍ମଚାରୀ ଗିରଫ ହୋଇସାରିଛନ୍ତି । ଅଲ୍ଲୁ ଅର୍ଜୁନ ଅଭିନୀତ ପୁଷ୍ପା-୨ ଚଳଚ୍ଚିତ୍ର ବିଶ୍ବସ୍ତରରେ ୧୦୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଛି । ଏବେ ବି ପୁଷ୍ପା-୨ର କ୍ରେଜ୍ ଥମିବାର ନାଁ ଧରୁନାହିଁ । ତେବେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା କରାଇ ନାମପାଲ୍ଲୀ କୋର୍ଟରେ ହାଜର କରାଇଛି ।

ଅନ୍ୟପଟେ ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଏକ ଆଧିକାରୀକ ବିବୃତ୍ତି ଜାରି କରି ସେ କହିଛନ୍ତି ଯେ, ଆଇନ ତା’ର ଉଚିତ୍ କାର୍ଯ୍ୟ କରିବ। ଏହି ମାମଲାର ତଦନ୍ତରେ କେହି ହସ୍ତକ୍ଷେପ କରିବେ ନାହିଁ। ଅଭିନେତାଙ୍କ ଗିରଫଦାରୀରେ ତାଙ୍କର କିମ୍ବା ତାଙ୍କ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ସେ ସଫେଇ ଦେଇଛନ୍ତି। ଏହି ଘଟଣାରେ ରାଜନୀତି କରିବାର କାରଣ ନାହିଁ, ଆଇନ ଆଗରେ ସମସ୍ତେ ସମାନ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *