ନ୍ୟୁଜ ଡେକ୍ସ : ରାଜ୍ୟରେ ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସର୍ଟିଫିକେଟ (PUCC) ଯାଞ୍ଚକୁ ଆଜିଠାରୁ ପୁଣିଥରେ କଡ଼ାକଡ଼ି ଭାବେ ଆରମ୍ଭ କରାଯାଇଛି। ପୂର୍ବରୁ ଏପ୍ରିଲ ୧ ଯାଏଁ ଏହି ଯାଞ୍ଚରେ କିଛି ସହଜତା ରହିଥିଲା, କିନ୍ତୁ ଏପ୍ରିଲ ୨ ତାରିଖରୁ ଏହାକୁ ଜୋରଦାର କରାଯାଇଛି ବୋଲି ପରିବହନ ବିଭାଗ ସୂଚନା ଦେଇଛି।
ପରିବହନ ବିଭାଗର ନିର୍ଦ୍ଦେଶରେ ଚାଲିଥିବା ବିଶେଷ ସଡ଼କ ସୁରକ୍ଷା ଅଭିଯାନକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ସଡ଼କ ଦୁର୍ଘଟଣା କମେଇବା ସହ ଗାଡ଼ି ଚାଳକମାନଙ୍କୁ ସଚେତନ କରିବା।ନୂତନ ନିୟମ ଅନୁସାରେ, ଯଦି କୌଣସି ଯାନରେ PUCC ନଥାଏ, ତେବେ ଚାଳକଙ୍କୁ ସିଧାସଳଖ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୧୮ ଲକ୍ଷ ଗାଡ଼ିର PUCC ଅପଡେଟ ହୋଇନଥିବାରୁ ସରକାର ଏହାକୁ ଗୁରୁତ୍ୱ ସହ ନେଇଛନ୍ତି।ଏହା ସହିତ ପେଟ୍ରୋଲ ପମ୍ପଗୁଡ଼ିକୁ ମଧ୍ୟ କଠୋର ନିର୍ଦ୍ଦେଶ ଦିଆଯାଇଛି ଯେ, PUCC ଦେଖାଇବା ପରେ ମାତ୍ର ଗାଡ଼ିରେ ତେଲ ଭରାଯିବ। ଏହି ପଦକ୍ଷେପ ଦ୍ୱାରା ପ୍ରଦୂଷଣକାରୀ ଓ ଅନିୟମିତ ଯାନଗୁଡ଼ିକୁ ରୋକିବାରେ ସହାୟତା ମିଳିବ ବୋଲି ଅଧିକାରୀମାନେ କହିଛନ୍ତି।
ପରିବହନ ବିଭାଗ ପକ୍ଷରୁ ମାଗଣାରେ ‘ଗ୍ରୀନ ଷ୍ଟିକର’ ବଣ୍ଟନ କରାଯାଉଛି, ଯାହାକୁ ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏହା ଯାଞ୍ଚକାରୀଙ୍କୁ ଗାଡ଼ିର ପ୍ରଦୂଷଣ ସ୍ଥିତି ସହଜରେ ଚିହ୍ନଟ କରିବାରେ ସହାୟକ ହେବ।ସରକାରଙ୍କ ଏହି ପଦକ୍ଷେପ ସଡ଼କ ସୁରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ଏକ ଦୃଢ଼ ପଦକ୍ଷେପ ବୋଲି ମନେ କରାଯାଉଛି। ତେଣୁ ସମସ୍ତ ଯାନମାଲିକଙ୍କୁ ଶୀଘ୍ର PUCC ଅପଡେଟ କରି ଜରିମାନାରୁ ବଞ୍ଚିବାକୁ ପରାମର୍ଶ ଦିଆଯାଇଛି।

