Fri. Jul 3rd, 2026

ନ୍ୟୁଜ ଡେକ୍ସ : ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଯୋଗୁଁ ପରିବେଶ ଓ ଜନସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା କ୍ଷତିକାରକ ପ୍ରଭାବ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ୨୦୦୯ ମସିହାରେ ‘ଜିରୋ ୱେଷ୍ଟ୍ ୟୁରୋପ’ ସଂଗଠନ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା।

ପ୍ଲାଷ୍ଟିକ୍ ଜୈବ ବିଘଟନଶୀଳ ନ ହୋଇଥିବାରୁ ଏହା ହଜାର ହଜାର ବର୍ଷ ଧରି ପରିବେଶରେ ଅବିକୃତ ଅବସ୍ଥାରେ ରହିଥାଏ। ଫଳରେ ମାଟି, ଜଳ ଓ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ବନ୍ୟଜନ୍ତୁ ଏବଂ ମଣିଷର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି। ପରିବେଶ ପ୍ରଦୂଷଣରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ର ଅବଦାନ ବେଶି ଥିବାରୁ ଏହାର ବ୍ୟବହାର ବନ୍ଦ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।ଏହି ଦିବସ ଅବସରରେ ପୁନର୍ବ୍ୟବହାରଯୋଗ୍ୟ କପଡ଼ା କିମ୍ବା ଜୁଟ୍ ବ୍ୟାଗ୍ ବ୍ୟବହାର କରିବା, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ପରିହାର କରିବା ଏବଂ ପରିବେଶ ସୁରକ୍ଷା ପାଇଁ ସାମୂହିକ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଉଛି।

ବ୍ୟକ୍ତିବିଶେଷ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରଙ୍କ ମିଳିତ ପ୍ରୟାସ ମାଧ୍ୟମରେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ଅନେକାଂଶରେ ରୋକାଯାଇପାରିବ ବୋଲି ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ୨୦୦୨ ମସିହାରେ ବାଂଲାଦେଶ ବିଶ୍ୱର ପ୍ରଥମ ଦେଶ ଭାବେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲା। ଏହା ପରେ ଭାରତ ସମେତ ବିଶ୍ୱର ଅନେକ ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଉପରେ କଟକଣା ଲାଗୁ କରି ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *