Wed. Jul 1st, 2026

ନ୍ୟୁଜ ଡେକ୍ସ : ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଅଧୀନରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ପେନ୍‌ସନ୍ ପ୍ରଦାନ କରାଯାଉଛି। ତେବେ ପୋର୍ଟାଲର ରିପୋର୍ଟ ଅନୁଯାୟୀ, ୩ ଲକ୍ଷ ୩୫ ହଜାର ୮୫୦ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ହୋଇନଥିବାରୁ ସେମାନଙ୍କ ପେନ୍‌ସନ୍ ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇପାରେ।ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ମ୍ୟାପିଂ ନ ଥିବାରୁ ଏସ୍‌ଏନ୍‌ଏ-ସ୍ପର୍ଶ ପୋର୍ଟାଲ ଏହି ଆକାଉଣ୍ଟଗୁଡ଼ିକୁ ପେମେଣ୍ଟ ପାଇଁ ଗ୍ରହଣ କରିବ ନାହିଁ।

ଅନେକ ପେନ୍‌ସନ୍‌ଭୋଗୀ ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଯାଇ ଆଧାର ଲିଙ୍କ୍ କିମ୍ବା ଅପଡେଟ୍ କରିନଥିବା ଜଣାପଡ଼ିଛି।ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମାସିକ ପେନ୍‌ସନ୍ ପାଉଛନ୍ତି ଏବଂ ଏପର୍ଯ୍ୟନ୍ତ ଆଧାର ଲିଙ୍କ୍ କରିନାହାନ୍ତି, ସେମାନଙ୍କର ଆକାଉଣ୍ଟ ଶୀଘ୍ର ଆଧାର ସହ ସଂଯୋଗ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏନ୍‌ଏସ୍‌ଏପି-ପିପିଏସ୍ ପୋର୍ଟାଲ ମାଧ୍ୟମରେ ଆଧାର ଲିଙ୍କ୍ ହୋଇନଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ପ୍ରାଥମିକତା ଭିତ୍ତିରେ ଆଧାର ଲିଙ୍କ୍ ଓ ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି।ସମସ୍ତ ବ୍ଲକ ସ୍ତରରେ ତାଲିକା ପ୍ରସ୍ତୁତ କରି ଏହି କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବାକୁ ପ୍ରମୁଖ ସଚିବ ଗୁରୁତ୍ୱ ଦେଇଛନ୍ତି। ଏହା ହେଲେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀମାନେ ନିରବଚ୍ଛିନ୍ନ ଭାବେ ପେନ୍‌ସନ୍ ପାଇପାରିବେ।

Leave a Reply

Your email address will not be published. Required fields are marked *