ନ୍ୟୁଜ ଡେକ୍ସ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବଡ଼ଦାଣ୍ଡ ଭକ୍ତଙ୍କ ସମାଗମରେ ଲୋକାରଣ୍ୟରେ ପରିଣତ ହୋଇଛି। ଚାରିଆଡ଼େ ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ସକାଳ ୫ଟାରୁ ଆରମ୍ଭ ହୋଇଥିବା ପହଣ୍ଡି ନୀତି ସାଢ଼େ ୭ଟାରେ ଶେଷ ହୋଇଥିବାବେଳେ ରତ୍ନସିଂହାସନ ଛାଡ଼ି ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି।
ଭକ୍ତମାନେ ଏବେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଲୀଳା ଏବଂ ଦୁର୍ଲଭ ଗଜାନନ ବେଶ ବା ହାତୀବେଶ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। ଏହି ମହୋତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବା ପାଇଁ ସମୟ ସୂଚୀ ମଧ୍ୟ ଚୂଡ଼ାନ୍ତ କରାଯାଇଛି।ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ବ୍ୟବସ୍ଥା ରହିଛି।
ଏହାପରେ ରାତି ୧୦ଟାରେ ହାତୀବେଶ ମଇଲମ, ରାତି ୧୦ଟା ୩୦ରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ନୀତି, ରାତି ୧୧ଟାରୁ ପ୍ରଭାତ ୨ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଏବଂ ରାତି ୨ଟା ୩୦ରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ସମ୍ପନ୍ନ ହେବ।ଭକ୍ତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ସାଧାରଣ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ସାରି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ପାରମାଣିକ ଟିକେଟ୍ ଧାରୀ ଭକ୍ତମାନଙ୍କ ପାଇଁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା ରହିଛି। ଏଥିସହ ମନ୍ଦିର ପରିସରରେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର କ୍ଲିଅରାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି।

