Tue. Jun 30th, 2026

ନ୍ୟୁଜ ଡେକ୍ସ : ପ୍ରତିବର୍ଷ ଜୁନ୍ ୩୦ ତାରିଖକୁ ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଏ। ୨୦୧୦ ମସିହାରେ ‘ମାସେବଲ୍’ ୱେବସାଇଟ୍ ପକ୍ଷରୁ ଏହି ଦିବସ ପାଳନର ଆରମ୍ଭ ହୋଇଥିଲା। ବିଶ୍ୱସ୍ତରରେ ସାମାଜିକ ଗଣମାଧ୍ୟମ କିପରି ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛି ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପୃଥିବୀର ଯେକୌଣସି ସ୍ଥାନରେ ଥିବା ଲୋକଙ୍କ ସହ ସହଜରେ ଯୋଗାଯୋଗ ସ୍ଥାପନ, ବ୍ୟବସାୟିକ ସଂସ୍ଥା ଓ ଗ୍ରାହକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଏବଂ ସାମାଜିକ ସଚେତନତା ସୃଷ୍ଟିରେ ଏହାର ଭୂମିକା ଉଲ୍ଲେଖନୀୟ। ବିଶେଷକରି କୋଭିଡ୍-୧୯ ମହାମାରୀ ସମୟରେ ଜରୁରୀ ସୂଚନା ଓ ସହାୟତା ପହଞ୍ଚାଇବାରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।ତେବେ ସାମାଜିକ ଗଣମାଧ୍ୟମର ଅନେକ ସକାରାତ୍ମକ ଦିଗ ଥିବା ସତ୍ତ୍ୱେ ଏହାକୁ ଭ୍ରାନ୍ତିକର ଓ ମିଛ ଖବର ପ୍ରସାରଣ ସହ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ମଧ୍ୟ ବ୍ୟବହାର କରାଯାଉଛି।

ତେଣୁ ସାମାଜିକ ଗଣମାଧ୍ୟମ ବ୍ୟବହାର ବେଳେ ସତର୍କତା ଓ ସଚେତନତା ଅତ୍ୟନ୍ତ ଜରୁରୀ।ଉପଲବ୍ଧ ତଥ୍ୟ ଅନୁସାରେ, ବିଶ୍ୱରେ ପ୍ରାୟ ୬୦୦ କୋଟି ଲୋକ ଇଣ୍ଟରନେଟ୍ ସହ ଯୋଡ଼ି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬୬ କୋଟି ଲୋକ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଅଛନ୍ତି। ଭାରତରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ପ୍ରତ୍ୟେକ ବ୍ୟବହାରକାରୀଙ୍କର ହାରାହାରି ଛଅଟି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଆକାଉଣ୍ଟ ଥିବା ବେଳେ ୟୁଟ୍ୟୁବ୍, ଫେସବୁକ୍, ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ୍ ସବୁଠାରୁ ଅଧିକ ବ୍ୟବହୃତ ପ୍ଲାଟଫର୍ମ ଭାବେ ପରିଚିତ।

Leave a Reply

Your email address will not be published. Required fields are marked *