ନ୍ୟୁଜ ଡେକ୍ସ : ପବିତ୍ର ସ୍ନାନଯାତ୍ରାରେ ୧୦୮ ଗଡୁ ଜଳରେ ମହାସ୍ନାନ ପରେ ମହାପ୍ରଭୁ ଅନବସରକୁ ବିଜେ ହୋଇଛନ୍ତି। ସ୍ନାନ ପରେ ଜ୍ୱରାକ୍ରାନ୍ତ ହୋଇଥିବା ପରମ୍ପରା ଅନୁଯାୟୀ ଶ୍ରୀଜିଉମାନଙ୍କୁ ବିଳମ୍ବିତ ରାତିରେ ଅନବସର ଗୃହକୁ ପହଣ୍ଡି କରାଯାଇଛି। ଏହାପରେ ଆଜିଠାରୁ ଶ୍ରୀବିଗ୍ରହଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।ଅନବସର ସମୟରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସେବା ଓ ଶୁଶ୍ରୂଷାରେ ନିୟୋଜିତ ରହିବେ। ଜ୍ୱରରୁ ଉପଶମ ପାଇଁ ପଥି, ପାଚନ ଓ ଔଷଧ ସେବା କରାଯିବ।
ଏହି ସମୟରେ ଗୁପ୍ତ ନୀତି ଅନୁଯାୟୀ ଠାକୁରଙ୍କ ସେବା ସମ୍ପନ୍ନ ହେବ।ଅନବସର କାଳରେ ଶ୍ରୀବିଗ୍ରହଙ୍କ ପରିବର୍ତ୍ତେ ପଟି ଦିଅଁଙ୍କୁ ପୂଜା କରାଯିବ। ଚିତ୍ରକର ସେବକମାନେ ପଟି ଦିଅଁ ପ୍ରସ୍ତୁତ କରି ପୂଜା ସମ୍ପନ୍ନ କରିବା ପରେ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ୱରୀ ଏବଂ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଶ୍ରୀଅନନ୍ତ ବାସୁଦେବଙ୍କ ପଟି ଦିଅଁ ପୂଜା ପାଇବେ।
ସେହିପରି ଶ୍ରୀନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ, ମା’ ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ ହେବେ। ଅନବସର ଗୃହରେ ଶ୍ରୀବିଗ୍ରହଙ୍କ ଗୁପ୍ତ ନୀତି ଚାଲିଥିବା ବେଳେ ଜଗମୋହନରେ ପଟି ଦିଅଁଙ୍କ ନିତ୍ୟ ପୂଜାର୍ଚ୍ଚନା କରାଯିବ।ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହୁଥିବାରୁ ପରମ୍ପରା ଅନୁଯାୟୀ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ବଢ଼ିବ ବୋଲି ଆଶା କରାଯାଉଛି।

