ନ୍ୟୁଜ ଡେକ୍ସ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ରାସ୍ତାଘାଟ ସଫେଇ ପାଇଁ ନୂଆ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂଆ ଏଜେନ୍ସିଙ୍କୁ କାର୍ଯ୍ୟଭାର ଦିଆଯାଇନାହିଁ। ପ୍ରାୟ ମାସେ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଫାଇଲ୍ ଝୁଲି ରହିଥିବାରୁ ସହରର ପରିମଳ ବ୍ୟବସ୍ଥା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।ସୂଚନା ଅନୁଯାୟୀ, ପୁରୁଣା ଏଜେନ୍ସିମାନଙ୍କ କାର୍ଯ୍ୟକାଳ ଛଅ ମାସ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ସେମାନଙ୍କ ଅବଧି ବୃଦ୍ଧି କରାଯାଇଛି।
ଅନ୍ୟପକ୍ଷରେ, ନୂଆ ଟେଣ୍ଡରରୁ ବାଦ୍ ପଡ଼ିଥିବା କିଛି ସଂସ୍ଥା ସଫେଇ କାର୍ଯ୍ୟରେ ଆଉ ପୂର୍ବଭଳି ଗୁରୁତ୍ୱ ଦେଉନଥିବାରୁ ସହରର ବିଭିନ୍ନ ରାସ୍ତାରେ ଆବର୍ଜନା ଜମି ରହୁଥିବା ଦେଖାଯାଉଛି।ବିଏମ୍ସିର ପ୍ରାୟ ୨୦୦ ବର୍ଗ କିଲୋମିଟର ଅଞ୍ଚଳକୁ ୬୭ଟି ୱାର୍ଡ ଆଧାରରେ ତିନୋଟି ଜୋନ୍ ଓ ଛଅଟି ପ୍ୟାକେଜରେ ବିଭକ୍ତ କରି ସଫେଇ କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇଛି। ରାସ୍ତା ସଫେଇ ସହ ବୁଦା କାଟିବା, ନାଳରୁ ପଙ୍କ ଉଠାଇବା ଓ କନଜରଭେନ୍ସି ଲେନ୍ ସଫା କରିବାର ଦାୟିତ୍ୱ ମଧ୍ୟ ଏହି ଏଜେନ୍ସିମାନେ ନେବେ।ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ପାଞ୍ଚଟି ଏଜେନ୍ସି ମଧ୍ୟରୁ ଚାରିଟି ସଂସ୍ଥା ଯୋଗ୍ୟ ବିବେଚିତ ହୋଇଛନ୍ତି।
ଲାୟନ୍ସ, ଜାଗୃତି ୱେଲଫେୟାର ଅର୍ଗାନାଇଜେସନ୍, ଗ୍ରିନ୍ ସର୍କଲ୍ ଏନଭାରନମେଣ୍ଟ ଓ ପିଏମଆର କନସୋର୍ଟିୟମ ବିଭିନ୍ନ ପ୍ୟାକେଜର ଦାୟିତ୍ୱ ପାଇଛନ୍ତି। ଜୁନ୍ ୫ରେ ଫାଇନାନ୍ସିଆଲ୍ ବିଡ୍ ଶେଷ ହୋଇଥିବା ବେଳେ ବାର୍ଷିକ ୧୯ କୋଟିରୁ ୨୧ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଟେଣ୍ଡର ଚୂଡ଼ାନ୍ତ ହୋଇଛି।ତେବେ ନୂଆ ଟେଣ୍ଡର କାର୍ଯ୍ୟକାରୀ ହେବାରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଟେଣ୍ଡରରୁ ବାଦ୍ ପଡ଼ିଥିବା କିଛି ସଂସ୍ଥା ପୁନର୍ବାର ସୁଯୋଗ ପାଇବା ପାଇଁ ଲବି କରୁଥିବା ଏବଂ ଏହି କାରଣରୁ ଫାଇଲ୍ ଅଟକି ରହିଥିବା ଅଭିଯୋଗ ମଧ୍ୟ ହେଉଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ବିଏମ୍ସି ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

