ନ୍ୟୁଜ ଡେକ୍ସ : ଆଜି ଆନ୍ତର୍ଜାତିକ ବେଆଇନ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ ପାଳନ କରାଯାଉଛି। ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ଅବୈଧ ନିଶା କାରବାରକୁ ରୋକିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୬ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।
ଚୀନର ଗୁଆଙ୍ଦୋଂ ଅଞ୍ଚଳରେ ଅଫିମ କାରବାର ବିରୋଧରେ ସଫଳ ଅଭିଯାନ ଚଳାଇଥିବା ଲିନ୍ ଜେକ୍ସୁଙ୍କ ସ୍ମୃତିରେ ମିଳିତ ଜାତିସଂଘ ୧୯୮୭ ମସିହା ଡିସେମ୍ବର ୭ ତାରିଖରେ ଏକ ସଂକଳ୍ପ ଗ୍ରହଣ କରି ଏହି ଦିବସକୁ ସ୍ୱୀକୃତି ପ୍ରଦାନ କରିଥିଲା। ସେହି ଅନୁସାରେ ୧୯୮୯ ମସିହାରୁ ପ୍ରତିବର୍ଷ ଜୁନ ୨୬ରେ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଉଛି।ଏହି ଦିବସ ଅବସରରେ ନିଶାଦ୍ରବ୍ୟ ସେବନର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।
ଏଥିସହ ନିଶା ଛାଡ଼ିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ଚିକିତ୍ସା, ପରାମର୍ଶ ଓ ପୁନର୍ବାସ ସୁବିଧା ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଅଧିକ ପ୍ରଭାବଶାଳୀ ନିଶାମୁକ୍ତି କେନ୍ଦ୍ର ସ୍ଥାପନ ଏବଂ ସମାଜର ସମସ୍ତ ବର୍ଗର ସହଯୋଗରେ ନିଶାଦ୍ରବ୍ୟର ପ୍ରସାରକୁ ରୋକିବା ପାଇଁ ଆହ୍ୱାନ ଜଣାଯାଉଛି।ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି, ବିଶ୍ୱ ନିଶାଦ୍ରବ୍ୟ ସମସ୍ୟା: ନିରନ୍ତର ଜଟିଳତା, ନୂଆ ଆହ୍ୱାନ ଓ ଅଭିନବ ପ୍ରତିକାର। ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ହିଁ ସଫଳତାର ମୂଳ ଆଧାର ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

