ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ସରକାରୀ ବିଦ୍ୟାଳୟର ଛୋଟ ପିଲାମାନଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ବ୍ୟାଗ୍ ପ୍ରଦାନ କରାଯିବ।
ଏନେଇ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ବ୍ଲକ ସ୍ତରରୁ ବ୍ୟାଗ୍ ବଣ୍ଟନର ଦାୟିତ୍ୱ ଓସିକ୍ ବହନ କରିବ। ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ପିଲାଙ୍କୁ ଏକ ନମ୍ବର ଆକାରର ବ୍ୟାଗ୍ ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କୁ ଦୁଇ ନମ୍ବର ଆକାରର ବ୍ୟାଗ୍ ପ୍ରଦାନ କରାଯିବ।
ଏହି ପଦକ୍ଷେପ ମାଧ୍ୟମରେ ଛୋଟ ପିଲାମାନଙ୍କୁ ପାଠପଢ଼ା ପାଇଁ ଆବଶ୍ୟକ ସାମଗ୍ରୀ ବହନ କରିବାରେ ସୁବିଧା ମିଳିବା ସହ ସେମାନଙ୍କ ଶିକ୍ଷାଜୀବନକୁ ଅଧିକ ସହଜ ଓ ସୁସଂଗଠିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

