ନ୍ୟୁଜ ଡେକ୍ସ : ଆସନ୍ତା ରଥଯାତ୍ରାର ସୁଚାରୁ ଓ ସୁପରିଚାଳିତ ଆୟୋଜନ ପାଇଁ ରାଜ୍ୟ ସରକାର ପୁରୀରେ ୧୩ ଜଣ ଓଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱରେ ନିଯୁକ୍ତ କରିଛନ୍ତି। ସେମାନେ ଜୁନ ୨୫ ତାରିଖରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ଏହି ସମୟସୀମା ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ରହିବ।ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ନିଯୁକ୍ତ ଅଧିକାରୀଙ୍କୁ ଜୁନ ୨୫ ତାରିଖରେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ହୋଇ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି।
ଏହି ଦାୟିତ୍ୱ ପାଇଥିବା ଅଧିକାରୀମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶୁଭନନ୍ଦ ମହାପାତ୍ର, ଅତିରିକ୍ତ ଏସଆରସି ସୁଭାଷ ଚନ୍ଦ୍ର ନାଥଶର୍ମା, କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ନିତି ରଞ୍ଜନ ସେନ, ଅବକାରୀ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ପଟ୍ଟନାୟକ ଓ ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗର ଉପ ସଚିବ ଜିତେନ୍ଦ୍ର କୁମାର ବେହେରା ରହିଛନ୍ତି।
ସେହିପରି ଭୂମି ଅଧିକାରୀ ବିଜୟ କୁମାର ନାୟକ ଓ ସୁବ୍ରତ ଜେନା, ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଜେନା, ବରଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପଣ୍ଡା, ପର୍ଯ୍ୟଟନ ବିଭାଗର ଉପ ସଚିବ ମନୋଜ କୁମାର ବେହେରା ଓ ଭୂମି ଅଧିକାରୀ ହେମନ୍ତ ଭାରିମଲଙ୍କୁ ମଧ୍ୟ ରଥଯାତ୍ରା ପରିଚାଳନାରେ ନିୟୋଜିତ କରାଯାଇଛି।ରଥଯାତ୍ରା ସମୟରେ ଶୃଙ୍ଖଳିତ ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ଏବଂ ସମନ୍ୱିତ ପରିଚାଳନା ନିଶ୍ଚିତ କରିବା ଲକ୍ଷ୍ୟରେ ଏହି ନିଯୁକ୍ତି କରାଯାଇଥିବା ସୂଚନା ମିଳିଛି।

