Thu. Jun 25th, 2026

ନ୍ୟୁଜ ଡେକ୍ସ : ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଜାତା ପାଣ୍ଡିଆନ ବିଜେଡ଼ିରେ ଯୋଗଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ଦଳୀୟ ଶିବିରରେ ମଧ୍ୟ ବିଭିନ୍ନ ଆଲୋଚନା ଚାଲିଛି।ସୂଚନା ଅନୁସାରେ, ନବୀନ ନିବାସରେ ଆଜି ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତାପ ଜେନା, ଟୁକୁନି ସାହୁଙ୍କ ସମେତ ଅନ୍ୟ ନେତାମାନେ ଯୋଗଦେଇଥିଲେ।

ବୈଠକ ପରେ ସୁଜାତା ପାଣ୍ଡିଆନଙ୍କ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଆସନ୍ତାକାଲି ତାଙ୍କ ଯୋଗଦାନ ସମ୍ପର୍କରେ ଘୋଷଣା ହୋଇପାରେ ବୋଲି କୁହାଯାଉଛି।ତେବେ ବୈଠକ ପରେ ବାହାରିଥିବା ନେତାମାନେ ଏନେଇ ସ୍ପଷ୍ଟ କିଛି କହିନଥିଲେ। ଟୁକୁନି ସାହୁ କହିଛନ୍ତି ଯେ ଦଳକୁ କିଏ ଆସିବେ ସେ ନିଷ୍ପତ୍ତି ଦଳର ସଭାପତି ନେବେ। ଯେକୌଣସି ଯୋଗ୍ୟ ବ୍ୟକ୍ତି ଦଳକୁ ଆସିଲେ ତାଙ୍କୁ ସ୍ୱାଗତ କରାଯିବ। ସୁଜାତା ପାଣ୍ଡିଆନ ନିଜ କାର୍ଯ୍ୟକାଳରେ ଅନେକ ଉଲ୍ଲେଖନୀୟ କାମ କରିଥିବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଭୂମିକା ନିଭାଇଥିବା ସେ କହିଛନ୍ତି।

ଅନ୍ୟପଟେ, ଏହି ପ୍ରସଙ୍ଗକୁ ନେଇ ଶ୍ରୀମୟୀ ମିଶ୍ରଙ୍କ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ମନ୍ତବ୍ୟ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଦଳର ଭବିଷ୍ୟତ ଓ ସମ୍ଭାବ୍ୟ ରାଜନୈତିକ ପରିବର୍ତ୍ତନ ସମ୍ପର୍କରେ କଟାକ୍ଷ କରିଥିବା ଦେଖିବାକୁ ମିଳିଛି।ଏହାପୂର୍ବରୁ ଦଳୀୟ ନେତା ମନ୍ମଥ ରାଉତରାୟ ମଧ୍ୟ ସୁଜାତା ପାଣ୍ଡିଆନଙ୍କ ଦଳରେ ଯୋଗଦାନକୁ ସ୍ୱାଗତ କରିଥିଲେ। ତାଙ୍କ ଦକ୍ଷତା, ଅନୁଭବ ଓ ପ୍ରଶାସନିକ ଜ୍ଞାନ ଦଳକୁ ସୁଦୃଢ କରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଏବେ ସୁଜାତା ପାଣ୍ଡିଆନଙ୍କ ଯୋଗଦାନକୁ ନେଇ ଚାଲିଥିବା ଚର୍ଚ୍ଚା ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *