ନ୍ୟୁଜ ଡେକ୍ସ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସୁଗମ ଯାତାୟାତ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପରିବହନ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ।
ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଯାତାୟାତ ସୁବିଧା ଉପରେ ଆଲୋଚନା କରାଯାଇଥିଲା। ଶ୍ରଦ୍ଧାଳୁମାନେ ସୁରକ୍ଷିତ ଓ ସୁବିଧାଜନକ ଭାବେ ପୁରୀରେ ପହଞ୍ଚିବା ସହ ଫେରିପାରିବେ ସେଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଯାତ୍ରୀଙ୍କ ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ପୁରୀକୁ ଅଧିକ ସଂଖ୍ୟାରେ ବସ୍ ଚଳାଚଳ କରାଯିବ। ଏଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଏବଂ ରଥଯାତ୍ରା ପୂର୍ବଦିନ ପାଇଁ ଅସ୍ଥାୟୀ ଅନୁମତିପତ୍ର ପ୍ରଦାନ କରାଯିବ। ପୁରୀ ବାହାର ମାର୍ଗରେ ଚଳାଚଳ କରୁଥିବା ବସ୍ ମାଲିକମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।ବର୍ତ୍ତମାନ ପ୍ରତିଦିନ ପ୍ରାୟ ୨୦୦ ଘରୋଇ ବସ୍ ପୁରୀକୁ ଚଳାଚଳ କରୁଥିବାବେଳେ ରଥଯାତ୍ରା ସମୟରେ ଏହି ସଂଖ୍ୟାକୁ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି।
ସେହିପରି ସରକାରୀ ବସ୍ ସେବାର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।ଯାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସମସ୍ତ ବସ୍ରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ରଖାଯିବ। ଏହାସହ ପ୍ରମୁଖ ବସ୍ ଟର୍ମିନାଲ, ବସ୍ ବିରାମସ୍ଥଳ ଓ ବସ୍ଗୁଡ଼ିକରେ ପାନୀୟ ଜଳ ଏବଂ ଜଳଶୂନ୍ୟତା ରୋକିବା ପାଇଁ ଆବଶ୍ୟକ ପାନୀୟର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ଉତ୍ତମ ପରିବହନ ସୁବିଧା ଯୋଗାଇବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

