Thu. Apr 16th, 2026

ନ୍ୟୁଜ ଡେକ୍ସ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ବଡ଼ ଦାବି କରି କହିଛନ୍ତି ଯେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିଛନ୍ତି ଯେ ବେଜିଂ ଇରାନକୁ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ପଠାଇବ ନାହିଁ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଚିଠି ଆଦାନ-ପ୍ରଦାନ ସମୟରେ ଏହି ପ୍ରତିଶ୍ରୁତି ମିଳିଥିବା ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ସେ ଜିନପିଙ୍ଗଙ୍କୁ ଚିଠି ଲେଖି ଇରାନକୁ ଅସ୍ତ୍ର ନ ପଠାଇବାକୁ ଅନୁରୋଧ କରିଥିଲେ ଏବଂ ତାହାର ପ୍ରତିଉତ୍ତରରେ ଚୀନ ଏପରି କାର୍ଯ୍ୟ ନ କରିବାକୁ ଆଶ୍ୱାସନ ଦେଇଛି। ଇରାନ ଦୀର୍ଘ ସମୟ ଧରି ଆମେରିକା ଓ ଇସ୍ରାଏଲ ସହ ତଣାତଣିରେ ରହିଥିବାରୁ ବିଦେଶୀ ସାମରିକ ସହଯୋଗ ନେଇ ଚର୍ଚ୍ଚା ଚାଲିଥିଲା।ଏହାସହ ଟ୍ରମ୍ପ ଇରାନକୁ ଅସ୍ତ୍ର ପଠାଉଥିବା ଦେଶମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଏମିତି କାର୍ଯ୍ୟ ଧରାପଡ଼ିଲେ ସେମାନଙ୍କ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ କରାଯିବ।ଗତ କିଛି ଦିନ ଧରି ଏହିପରି ରିପୋର୍ଟ ଆସୁଥିଲା ଯେ ଚୀନ ପକ୍ଷରୁ ଇରାନକୁ ଏୟାର ଡିଫେନ୍ସ ସିଷ୍ଟମ ଓ କାନ୍ଧରେ ରଖି ମାଡ଼ କରାଯାଇପାରୁଥିବା ମିସାଇଲ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି।

ଏହା ତୃତୀୟ ଦେଶ ମାଧ୍ୟମରେ ହେବାର ସନ୍ଦେହ ମଧ୍ୟ ବ୍ୟକ୍ତ କରାଯାଇଥିଲା। ହର୍ମୁଜ ପ୍ରଣାଳୀ ସମ୍ପର୍କରେ ମଧ୍ୟ ଟ୍ରମ୍ପ କହିଛନ୍ତି ଯେ ସେ ଏହାକୁ ସ୍ଥାୟୀ ଭାବେ ଖୋଲିବା ପାଇଁ ପଦକ୍ଷେପ ନେଉଛନ୍ତି, ଯାହା ଚୀନ ସହ ପୂରା ବିଶ୍ୱ ପାଇଁ ଉପକାରୀ ହେବ। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସହଯୋଗ ଭଲ ଭାବେ ଚାଲିଛି ଏବଂ ଯୁଦ୍ଧ ଠାରୁ ଏହି ପଦକ୍ଷେପ ଅଧିକ ଉତ୍ତମ।ତଥାପି ସେ ସତର୍କ କରି କହିଛନ୍ତି ଯେ ଯଦି ପରିସ୍ଥିତି ଯୁଦ୍ଧ ଦିଗକୁ ଯାଏ, ତେବେ ଆମେରିକା ସେଥିରେ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତ ଅଛି।

Leave a Reply

Your email address will not be published. Required fields are marked *