ନ୍ୟୁଜ ଡେକ୍ସ : ଏପ୍ରିଲ୍ ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ସହିତ ରାଜ୍ୟର ପାଗରେ ବଡ ପରିବର୍ତ୍ତନ ଦେଖାଦେଇଛି। ସୂର୍ଯ୍ୟଙ୍କ ତେଜ ତିବ୍ର ହୋଇଥିବାରୁ ଅପରାହ୍ନର ଗରମ ଲୋକଙ୍କୁ ଅସହ୍ୟ କରୁଛି। ଆଜିଠୁ ରାଜ୍ୟରେ ତାତିର ପ୍ରକୋପ ବଢିବା ଆରମ୍ଭ ହୋଇଥିବା ବେଳେ ପଶ୍ଚିମ ଓଡିଶାରେ ତୀବ୍ର ଗରମ ଓ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ପରିସ୍ଥିତି ଜାରି ରହିବ।ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ଝାରସୁଗୁଡା ଭଳି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ବୋଲି ପୂର୍ବାନୁମାନ ରହିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ନିକଟସ୍ଥ ଜିଲ୍ଲାଗୁଡିକରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭବ ହେବ।ସେହିପରି ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡିଶାରେ ହିଟ୍ ୱେଭ ପରିସ୍ଥିତି ସୃଷ୍ଟି ହେବାକୁ ଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ ପ୍ରୟୋଜନୀୟ ପ୍ରସ୍ତୁତି ନେବାକୁ ନିର୍ଦ୍ଦେଶ ମିଳିଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘର ବାହାରେ ଯାଇବା ସମୟରେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।୧୩ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁପାରେ, ଯେତେବେଳେ ଉପକୂଳ ଅଞ୍ଚଳରେ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ରହିବ।
ଭୁବନେଶ୍ୱର ଓ କଟକରେ ୧୪ ତାରିଖ ବେଳକୁ ପାରଦ ୩୭ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଉପକୂଳରେ ପ୍ରାୟ ୭୫ ପ୍ରତିଶତ ଆର୍ଦ୍ରତା ଥିବାରୁ ଗୁଳୁଗୁଳି ବଢିବ।ଆଭ୍ୟନ୍ତରୀଣ ଅଞ୍ଚଳରେ ତତଲା ପବନ ବହିବା ସହ ଦିନ ଓ ରାତିର ତାପମାତ୍ରାରେ ବ୍ୟପକ ତଫାତ୍ ଦେଖାଯିବ। ଏପରି ସମୟରେ କାଳବୈଶାଖୀର ସମ୍ଭାବନା ଆଗାମୀ ୨୪ ଘଣ୍ଟା ପରେ କମିଯିବ ବୋଲି ଅନୁମାନ କରାଯାଇଛି। ୧୫ ତାରିଖରୁ ଖରା ଆହୁରି ତୀବ୍ର ହେବାର ଆଶଙ୍କା ରହିଛି।

