ନ୍ୟୁଜ ଡେକ୍ସ : ପୁରୀରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି କାର୍ଯ୍ୟ ସଫଳତାର ସହିତ ଶେଷ ହୋଇଛି। ଚାରି ଦିନ ଧରି ଚାଲିଥିବା ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ସମାପ୍ତ ହୋଇଥିବା ସୂଚନା ମିଳିଛି। ୧୯୭୮ ମସିହାର ତାଲିକା ଅନୁଯାୟୀ ସମସ୍ତ ରତ୍ନ ଅଳଙ୍କାରଙ୍କୁ ମେଳକ କରାଯାଇଥିବା ବେଳେ, ପୂର୍ବ ତାଲିକା ଅପେକ୍ଷା ଅଧିକ ଅଳଙ୍କାର ଥିବା ଜଣାପଡ଼ିଛି।
ଏହି ଗଣତି ମଣତି କାର୍ଯ୍ୟରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଚିହ୍ନଟ, ତାହାର ଓଜନ ନିର୍ଣ୍ଣୟ ଏବଂ କେଉଁ ପ୍ରକାର ରତ୍ନରେ ତିଆରି ହୋଇଛି ସେଥିପାଇଁ ବିଶେଷଜ୍ଞମାନେ ଅତ୍ୟାଧୁନିକ ମେସିନ୍ର ସହାୟତା ନେଇଛନ୍ତି। ସମସ୍ତ ଅଳଙ୍କାରଙ୍କର ଡିଜିଟାଲ ଫଟୋଗ୍ରାଫି କରାଯାଇଥିବାରୁ ଏହାର ସୁରକ୍ଷା ଆହୁରି ମଜବୁତ ହେବ ବୋଲି କୁହାଯାଉଛି।ଆଜି ସକାଳ ଧୂପ ନୀତି ସରିବା ପରେ ଗଣତି ମଣତି ଟିମ୍ର ସଦସ୍ୟମାନେ ବାହାର ରତ୍ନଭଣ୍ଡାରକୁ ପ୍ରବେଶ କରି କାମ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଗତ ମାର୍ଚ୍ଚ ୨୫ରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ସମାପ୍ତ ହୋଇଥିଲା, ଯାହା ପ୍ରାୟ ସାତ ଘଣ୍ଟା ଧରି ଚାଲିଥିଲା।
ଏହି ପ୍ରକ୍ରିୟାରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ପ୍ରତୀକ ସିଂଙ୍କ ନିରୀକ୍ଷଣରେ କାମ ଚାଲିଛି। ଟିମ୍ରେ ବଣିଆ ସେବକ, ବ୍ୟାଙ୍କ ସ୍ବର୍ଣ୍ଣକାର, ଆରବିଆଇ ଅଧିକାରୀ, ରତ୍ନ ବିଶେଷଜ୍ଞ ଓ ପ୍ରାଧିକୃତ ସେବାୟତମାନେ ସାମିଲ ହୋଇଛନ୍ତି।ଆସନ୍ତା ଏପ୍ରିଲ ୧୩ ଠାରୁ ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ସ୍ନାନଯାତ୍ରା ପୂର୍ବରୁ ସମସ୍ତ ଗଣତି ମଣତି କାମ ସମାପ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

