ନ୍ୟୁଜ ଡେକ୍ସ : ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନକ୍ରମେ ଚଳିତ ବର୍ଷ ମଧ୍ୟ ‘ଓଡ଼ିଆ ପକ୍ଷ-୨୦୨୬’ ଭବ୍ୟତାର ସହ ପାଳନ କରାଯିବ । ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ସାରା ରାଜ୍ୟରେ ଏହି ଉତ୍ସବ ପାଳିତ ହେବ ।ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଏପ୍ରିଲ ୧ରେ ଓଡ଼ିଶା ଦିବସ ପାଳନ ସହ ଉତ୍ସବର ଆରମ୍ଭ ହେବ । ପରବର୍ତ୍ତୀ ଦିନଗୁଡ଼ିକରେ ଖଡ଼ିଛୁଆଁ ଦିବସ, ପାରମ୍ପରିକ ପୋଷାକ ଦିବସ, ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ, ଐତିହ୍ୟ ଗଣଦୌଡ଼, ସ୍ୱଚ୍ଛତା ଅଭିଯାନ ଓ ଶିଶୁକଥା ଦିବସ ପାଳନ କରାଯିବ ।ଏହା ସହ ରକ୍ତଦାନ ଅଭିଯାନ, ବହି କିଣିବା ଅଭିଯାନ, ଲୋକକଳା ପ୍ରୋତ୍ସାହନ କାର୍ଯ୍ୟକ୍ରମ, ଅମୃତପିଢ଼ି ସମାରୋହ, ବନ୍ଦନୀୟ ବରପୁତ୍ର ସ୍ମୃତି ଅନୁଷ୍ଠାନ ଓ ପାରମ୍ପରିକ ଖାଦ୍ୟ ଦିବସ ମଧ୍ୟ ଆୟୋଜିତ ହେବ । ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷ ପାଳନ ସହ ଏହି ଉତ୍ସବର ସମାପନ ହେବ ।ଓଡ଼ିଆ ପକ୍ଷକୁ ଅଧିକ ଜନସାମାନ୍ୟ ସହ ଜଡ଼ିବା ପାଇଁ Odiapakhya.com ୱେବସାଇଟ ଓ ଆପ୍ ମଧ୍ୟ ଆରମ୍ଭ କରାଯାଇଛି ।
ଏଥିରେ ଉତ୍ସବ ସମ୍ପର୍କିତ ସମସ୍ତ ତଥ୍ୟ ଥିବା ସହ ଲୋକମାନେ ନିଜର ଫଟୋ, ଭିଡିଓ ଓ ରିଲ୍ସ ଅପଲୋଡ଼ କରିପାରିବେ । ସେହିପରି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ ଡିଜିଟାଲ ସାର୍ଟିଫିକେଟ ମଧ୍ୟ ପାଇପାରିବେ ।ଓଡ଼ିଆ ପକ୍ଷ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଆମ ସଂସ୍କୃତି ସହ ପୁନଃ ସଂଯୋଗର ଏକ ମହାଅବସର । ଏହି ଉତ୍ସବରେ ସମସ୍ତ ଓଡ଼ିଆ ଲୋକଙ୍କୁ ସାମିଲ ହୋଇ ନିଜ ସଂସ୍କୃତିକୁ ଗର୍ବର ସହ ପ୍ରକାଶ କରିବାକୁ ଆହ୍ୱାନ କରାଯାଇଛି ।

