ନ୍ୟୁଜ ଡେକ୍ସ : ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରକୁ ଗୁରୁତ୍ୱ ଦେଇ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ଏଣିକି ସମସ୍ତ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଯଦି ଏହାକୁ ଅମାନ୍ୟ କରାଯାଏ, ତେବେ ଆଇନର ଧାରା ୩୫ ଅନୁଯାୟୀ କଢ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଲୋୟର ପିଏମଜିରେ ଆୟୋଜିତ ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଶ୍ରମ ବିଭାଗ ପକ୍ଷରୁ ଏହି କଡା ବାର୍ତ୍ତା ଦିଆଯାଇଛି। ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କର ନାମଫଳକ ଶୁଦ୍ଧ ଓ ସ୍ପଷ୍ଟ ଓଡ଼ିଆ ଭାଷାରେ ଲେଖିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।ନିୟମ ଉଲ୍ଲଂଘନ କରିଥିବା ପ୍ରତିଷ୍ଠାନମାନଙ୍କୁ ପ୍ରଥମଥର ପାଇଁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ପୁନରାବୃତ୍ତି ଘଟିଲେ ଏହି ଜରିମାନା ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ।ଏହା ସହିତ, ଯଦି କୌଣସି ଦୋକାନ କିମ୍ବା ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆରେ ନଥାଏ କିମ୍ବା ଭୁଲ ଭାବେ ଲେଖାଯାଇଥାଏ, ତେବେ ସାଧାରଣ ଲୋକମାନେ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ।
ଭୁବନେଶ୍ୱରରେ ନିୟମ ପାଳନ ନିଶ୍ଚିତ କରିବା ପାଇଁ ୮ଟି ବିଶେଷ ଦଳ ଗଠନ କରାଯାଇଛି। ସେହିପରି ସମସ୍ତ ଜିଲ୍ଲାରେ ମଧ୍ୟ ଏହିପରି ସ୍କ୍ୱାଡ୍ ନିଯୁକ୍ତ ହେବେ ବୋଲି ଶ୍ରମ କମିଶନର ସୂଚନା ଦେଇଛନ୍ତି।ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ହେବାରୁ ଏହାର ସୁରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସରକାର ଆହ୍ୱାନ କରିଛନ୍ତି।

