Fri. Apr 17th, 2026

ନ୍ୟୁଜ ଡେକ୍ସ :ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ନାମରେ ଏକ ନୂତନ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ପୂର୍ବରୁ ମିଳୁଥିବା ଚାଉଳ ସହିତ ଅତିରିକ୍ତ ୫ କିଲୋ ଚାଉଳ ପାଇବେ।ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀଙ୍କୁ ଏହି ସୁବିଧା ଦିଆଯିବ।ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୯୭ ଲକ୍ଷ ୯୭ ହଜାର ୫୭୨ ପରିବାରର ୩ କୋଟି ୨୨ ଲକ୍ଷ ୮୯ ହଜାର ୬୯୨ ସଦସ୍ୟ ଉପକୃତ ହେଉଛନ୍ତି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୨ ଲକ୍ଷ ୯୮ ହଜାର ୭୨୫ ପରିବାରର ୫ ଲକ୍ଷ ୬୨ ହଜାର ୭୩୭ ସଦସ୍ୟ ଲାଭ ପାଉଛନ୍ତି। ଉଭୟ ଯୋଜନାକୁ ମିଶାଇ ମୋଟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଏହି ନୂତନ ଯୋଜନାରେ ଉପକୃତ ହେବେ।

ମାସିକ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ ଚାଉଳ ବଣ୍ଟନ କରାଯିବା ସହ ବର୍ଷକୁ ଏହାର ପରିମାଣ ୧୯.୭୧ ଲକ୍ଷ ମେଟ୍ରିକ ଟନ ହେବ।ଏହି ଯୋଜନା ପାଇଁ ପ୍ରତି ମାସ ପ୍ରାୟ ୭୩୪ କୋଟି ଟଙ୍କା ଖର୍ଚ୍ଚ ହେବା ସହ ବାର୍ଷିକ ମୋଟ ବ୍ୟୟ ୮,୮୧୩ କୋଟି ଟଙ୍କା ରହିବ। ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଗରିବ ଓ ମଧ୍ୟମବର୍ଗ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ଆହୁରି ମଜବୁତ କରିବାରେ ମୂଳ ଭୂମିକା ନେବ।

Leave a Reply

Your email address will not be published. Required fields are marked *