ନ୍ୟୁଜ ଡେକ୍ସ : ଓଡ଼ିଶାର ଆକାଙ୍କ୍ଷିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ବଡ଼ ପଦକ୍ଷେପ ଗ୍ରହଣ ହୋଇଛି। ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ଏହି ପ୍ରକଳ୍ପ ପାଇଁ ଏବେ ରାସ୍ତା ଖୋଲିଯାଇଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ଅନୁମତି ଦିଆଯାଇଛି।
ସୂଚନା ଅନୁସାରେ, ଗତ ଫେବ୍ରୁଆରୀ ୨୭ ତାରିଖରେ କେନ୍ଦ୍ର ସରକାର ବନ ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ଅଧିନିୟମ ୧୯୮୦ର ଧାରା ୨ (୧) ଅନୁଯାୟୀ ପ୍ରସ୍ତାବକୁ ପରୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପକୁ ଷ୍ଟେଜ୍-୧ ଅନୁମୋଦନ ଦିଆଯାଇଛି। ଏହା ଫଳରେ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟ ଅଡଚଣ ଦୂର ହୋଇଛି।ଏହି ଅନୁମତି ଅନୁସାରେ, ମୋଟ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ରାଜ୍ୟର ଜଙ୍ଗଲ ବିଭାଗକୁ ସ୍ପଷ୍ଟ ସମ୍ମତି ମିଳିଛି। ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ବିମାନ ବନ୍ଦର ନିର୍ମାଣ କାମକୁ ଗତି ମିଳିବ।ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେଲେ ଓଡ଼ିଶାର ପର୍ଯ୍ୟଟନ ଖେତ୍ରରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
ବିଶେଷକରି ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଯାତାୟାତ ଆହୁରି ସହଜ ହେବ।ଏହା ସହ ରାଜ୍ୟର ଆର୍ଥିକ ଉନ୍ନତି, ବିନିଯୋଗ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ବିମାନ ବନ୍ଦର ଚାଲୁ ହେବା ପରେ ଓଡ଼ିଶା ସରାସରି ଆନ୍ତର୍ଜାତୀୟ ନେଟୱାର୍କ ସହିତ ଯୁକ୍ତ ହେବାର ସୁଯୋଗ ପାଇବ।ସରକାରଙ୍କ ଏହି ପଦକ୍ଷେପକୁ ସାଧାରଣ ଲୋକ ଓ ବିଭିନ୍ନ ମହଳରୁ ସ୍ୱାଗତ କରାଯାଇଛି ଏବଂ ଶୀଘ୍ର ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ ବୋଲି ଆଶା ପ୍ରକାଶ ପାଉଛି।

