ନ୍ୟୁଜ ଡେକ୍ସ : ହୋଲକର ଷ୍ଟାଡିୟମରେ ଆୟୋଜିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମୁକାବିଲାରେ ଭାରତକୁ ୪୧ ରନରେ ପରାଜିତ କରି ନ୍ୟୁଜିଲାଣ୍ଡ ଶ୍ରେଣୀ ଜିତିନେଇଛି। ବିରାଟ କୋହଲିଙ୍କ ଲଢ଼ୁଆ ଏବଂ ଐତିହାସିକ ଶତକ ସତ୍ୱେ ଭାରତୀୟ ଦଳ ପରାଜୟରୁ ବଞ୍ଚିପାରିନଥିଲା। ଏହା ସହ ହୋଲକର ଷ୍ଟାଡିୟମରେ ଭାରତ ପାଇଁ ଏହା ପ୍ରଥମ ଦିନିକିଆ ପରାଜୟ ଭାବେ ରେକର୍ଡ ହୋଇଛି।ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ଭାରତ ସମ୍ମୁଖରେ ୩୩୮ ରନର ଦୃଢ଼ ଲକ୍ଷ୍ୟ ରଖିଥିଲା।
ଡାରେଲ ମିଚେଲ ୧୩୭ ରନର ଦମଦାର ଇନିଂସ୍ ଖେଳିଥିବା ବେଳେ ଗ୍ଲେନ ଫିଲିପ୍ସ ୧୦୬ ରନ କରି ଦଳକୁ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ହର୍ଷିତ ରାଣା ୩ଟି ଲେଖାଏଁ ୱିକେଟ ନେଇ ନ୍ୟୁଜିଲାଣ୍ଡର ରନଗତିକୁ କିଛି ପରିମାଣରେ ରୋକିଥିଲେ। ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ୪୬ ଓଭରରେ ୨୯୬ ରନ କରି ସମ୍ପୂର୍ଣ୍ଣ ଅଲଆଉଟ ହୋଇଯାଇଥିଲା। ଏହି କଠିନ ପରିସ୍ଥିତିରେ ବିରାଟ କୋହଲି ଏକାକୀ ଦଳ ପାଇଁ ଲଢ଼ୁଥିଲେ। ସେ ୧୦୮ ବଲରେ ୧୨୪ ରନ ସଂଗ୍ରହ କରିଥିଲେ, ଯାହା ତାଙ୍କର ଦିନିକିଆ କ୍ରିକେଟର ୫୪ତମ ଏବଂ ସମଗ୍ର ଆନ୍ତର୍ଜାତୀୟ କ୍ରିକେଟର ୮୫ତମ ଶତକ ଥିଲା। କୋହଲି ଆଉଟ ହେବା ସହିତ ଭାରତୀୟ ଇନିଂସ୍ ଭାଙ୍ଗିପଡ଼ିଥିଲା ଏବଂ ମ୍ୟାଚ ନ୍ୟୁଜିଲାଣ୍ଡ ହାତକୁ ଚଳିଯାଇଥିଲା।
ଭାରତ ପକ୍ଷରୁ ନୀତିଶ କୁମାର ରେଡ୍ଡୀ ୫୩ ଓ ହର୍ଷିତ ରାଣା ୫୨ ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ସେମାନଙ୍କ ଇନିଂସ୍ ଦଳକୁ ଜୟ ପଥରେ ନେଇପାରିନଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକ ଫଲକେସ ଓ କ୍ରିଷ୍ଟିଆନା କ୍ଲାର୍କ ୩ଟି ଲେଖାଏଁ ୱିକେଟ ନେଇ ଭାରତୀୟ ବ୍ୟାଟିଂକୁ ଧ୍ୱଂସ କରିଥିଲେ।ଦୁର୍ଦାନ୍ତ ପ୍ରଦର୍ଶନ ପାଇଁ ଡାରେଲ ମିଚେଲ ‘ପ୍ଲେୟାର ଅଫ ଦି ମ୍ୟାଚ’ ସହିତ ‘ପ୍ଲେୟାର ଅଫ ଦି ସିରିଜ’ ଭାବେ ବିବେଚିତ ହୋଇଥିଲେ। ଏହି ପରାଜୟ ସହ ଭାରତ ଶ୍ରେଣୀ ହାରିଥିବା ବେଳେ, ନ୍ୟୁଜିଲାଣ୍ଡ ଦଳ ତାଙ୍କ ଦୃଢ଼ ପ୍ରଦର୍ଶନ ଦ୍ୱାରା ଶ୍ରେଣୀରେ ପ୍ରଭୁତ୍ୱ ସାବିତ କରିଛି।

