Sat. Apr 18th, 2026

ନ୍ୟୁଜ ଡେକ୍ସ : ୨୦୨୬ ଟି–୨୦ ବିଶ୍ୱକପରେ ବାଂଲାଦେଶର ଅଂଶଗ୍ରହଣକୁ ନେଇ ଏବେ ଆନ୍ତର୍ଜାତୀୟ କ୍ରିକେଟ ମହଳରେ ବଡ଼ ବିବାଦ ସୃଷ୍ଟି ହୋଇଛି। ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସ୍ପଷ୍ଟ ଭାବେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ସୂଚନା ଦେଇଛି ଯେ ଦଳକୁ ଭାରତରେ ଆୟୋଜିତ ବିଶ୍ୱକପରେ ଖେଳିବାକୁ ପଡ଼ିବ, ନହେଲେ ବାଂଲାଦେଶର ସ୍ଥାନରେ ଅନ୍ୟ ଏକ ଦଳକୁ ସାମିଲ କରାଯିବ।

ଇଏସ୍ପିଏନ୍ କ୍ରିକଇନ୍ଫୋ ରିପୋର୍ଟ ଅନୁସାରେ, ଆଇସିସି ବିସିବିକୁ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି, ଯାହା ମଧ୍ୟରେ ବାଂଲାଦେଶକୁ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ସ୍ପଷ୍ଟ କରିବାକୁ ପଡ଼ିବ। ଏହି ମୁଦ୍ଦାରେ ଆଇସିସି କୌଣସି ଅତିରିକ୍ତ ସମୟ ଦେବାକୁ ପ୍ରସ୍ତୁତ ନୁହେଁ ବୋଲି ସୂତ୍ରମାନେ ଜଣାଇଛନ୍ତି। ଆଇସିସିର ନିକଟତମ ସୂତ୍ର ଅନୁଯାୟୀ, ଯଦି ବାଂଲାଦେଶ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଭାରତକୁ ଯାତ୍ରା କରିବାରେ ଅସମ୍ମତି ପ୍ରକାଶ କରେ, ତେବେ ଆଇସିସି ରାଙ୍କିଂ ଆଧାରରେ ସ୍କଟଲାଣ୍ଡକୁ ବାଂଲାଦେଶର ସ୍ଥାନରେ ବିଶ୍ୱକପରେ ସାମିଲ କରିବ। ଏହା ନେଇ ଆଇସିସି ମଧ୍ୟରେ ଆଭ୍ୟନ୍ତରୀଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଖବର ମିଳିଛି।ଏହି ବିବାଦରେ ଏବେ ପାକିସ୍ତାନ ମଧ୍ୟ ହସ୍ତକ୍ଷେପ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଇସିସି ସହିତ ଆଲୋଚନା ବିଫଳ ହେବା ପରେ ବାଂଲାଦେଶ କ୍ରିକେଟ ବୋର୍ଡ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସହିତ ଯୋଗାଯୋଗ କରି ସହାୟତା ଚାହିଛି। ଏହାକୁ ନେଇ କ୍ରିକେଟ କୂଟନୀତିରେ ନୂଆ ମୋଡ଼ ଦେଖାଦେଇଛି। ତେବେ ଆଇସିସି ସ୍ପଷ୍ଟ କରିଛି ଯେ ବିଶ୍ୱକପ ଆୟୋଜନ ନେଇ ପୂର୍ବରୁ ହୋଇଥିବା ସମସ୍ତ ଚୁକ୍ତି ଓ ସୂଚୀ ଅନୁଯାୟୀ ଦଳଗୁଡ଼ିକୁ ଅଂଶଗ୍ରହଣ କରିବାକୁ ପଡ଼ିବ।

କୌଣସି ଦଳର ଅନାଗ୍ରହ କିମ୍ବା ରାଜନୈତିକ–ପ୍ରଶାସନିକ କାରଣକୁ ଦେଖାଇ ଟୁର୍ନାମେଣ୍ଟର ଗଠନ ପରିବର୍ତ୍ତନ କରାଯିବ ନାହିଁ ବୋଲି ମଧ୍ୟ ଆଇସିସି ଇଙ୍ଗିତ ଦେଇଛି।ବର୍ତ୍ତମାନ ସମୟରେ ଆଇସିସି ସମସ୍ତଙ୍କ ଦୃଷ୍ଟି ବାଂଲାଦେଶ କ୍ରିକେଟ ବୋର୍ଡର ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ରହିଛି। ଜାନୁଆରୀ ୨୧ ପରେ ଏହି ମାମଲାରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *