ନ୍ୟୁଜ ଡେକ୍ସ : ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓସେପା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି। ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ବଣ୍ଟନ କରିବାକୁ କହାଯାଇଛି। ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା ସମୟମଧ୍ୟରେ ଶେଷ କରିବାକୁ ଓସେପା କଡ଼ା ଭାବରେ ନିର୍ଦ୍ଦେଶ ଦେଇଛି।
ଏହି ନିର୍ଦ୍ଦେଶ ଅନୁଯାୟୀ, ଶିଶୁବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନ କରାଯିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଚୟନ ହୋଇଥିବା ଏଜେନ୍ସି ଓ ସପ୍ଲାଏରମାନେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମଧ୍ୟ ୟୁନିଫର୍ମ ଯୋଗାଇବେ ବୋଲି ନିର୍ଦ୍ଦେଶ ରହିଛି।ଗତବର୍ଷ ୟୁନିଫର୍ମ ବଣ୍ଟନରେ ଅହେତୁକ ବିଳମ୍ୱ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ଓସେପା ଏଥର ପୂର୍ବରୁ ସତର୍କ ହୋଇଛି।
ଏହି କାରଣରୁ ଏବେ ଆଗୁଆ ବ୍ୟବସ୍ଥା ନିଆଯାଇ ବିଳମ୍ୱ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି, ଗତବର୍ଷ ଏଜେନ୍ସି ଓ ସପ୍ଲାଏର ଚୟନରେ ବିଳମ୍ୱ ହୋଇଥିବାରୁ ୟୁନିଫର୍ମ ବଣ୍ଟନ ବିଳମ୍ୱିତ ହୋଇଥିଲା। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଏଥର ସେହି ପୂର୍ବ ଚୟନିତ ଏଜେନ୍ସି ଓ ସପ୍ଲାଏରମାନଙ୍କୁ ହିଁ ୟୁନିଫର୍ମ ଯୋଗାଇବା ପାଇଁ ଦାୟିତ୍ୱ ଦିଆଯାଇଛି।ଓସେପାର ଏହି ପଦକ୍ଷେପ ଫଳରେ ଛାତ୍ରଛାତ୍ରୀମାନେ ସମୟରେ ୟୁନିଫର୍ମ ପାଇପାରିବେ ବୋଲି ଆଶା କରାଯାଉଛି।
ସେହିପରି ବିଦ୍ୟାଳୟ ସ୍ତରରେ ମଧ୍ୟ ଏହାର ସଠିକ୍ ନିର୍ବାହ ପାଇଁ ନିୟମିତ ନିରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ଏଥର ଖରାଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ହାତରେ ୟୁନିଫର୍ମ ପହଞ୍ଚିବାକୁ ସରକାର ଓ ବିଭାଗ ଦୃଢ଼ ପଦକ୍ଷେପ ନେଇଥିବା ସ୍ପଷ୍ଟ ହେଉଛି।

