Fri. Apr 17th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାକୁ ବୟନ ଓ ପୋଷାକ ଶିଳ୍ପରେ ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। କଟକ ଜିଲ୍ଲାର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ବୃହତ୍ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ଓଡ଼ିଶାରେ ନିଯୁକ୍ତି ପାଇଁ ବାହାରକୁ ମାଇଗ୍ରେସନ କମିବ ଏବଂ ରିଭର୍ସ ମାଇଗ୍ରେସନ ଦେଖିବାକୁ ମିଳିବ।

ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ଗଢ଼ିଉଠିଥିବା ଏହି ଆପାରେଲ୍ ୟୁନିଟ୍ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ଏହା ରାଜ୍ୟର ଶିଳ୍ପାୟନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟନ ଓ ପୋଷାକ ଶିଳ୍ପ ଏକ ଏମିତି କ୍ଷେତ୍ର ଯେଉଁଠି କମ୍ ପୁଞ୍ଜି ବିନିଯୋଗରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ। ବିଶେଷକରି ମହିଳାମାନଙ୍କ ପାଇଁ ଏହି କ୍ଷେତ୍ରରେ ଅଧିକ ଅବସର ରହିଥାଏ। ତେଣୁ ମହିଳା ସଶକ୍ତିକରଣ ଓ ନିଯୁକ୍ତି ସୃଷ୍ଟିକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ଭାବେ ନୂତନ ଆପାରେଲ୍ ଇଣ୍ଡଷ୍ଟ୍ରି ସ୍ଥାପନ କରାଯାଉଛି। ଖୋର୍ଦ୍ଧା, କଟକ, ଗଞ୍ଜାମ ସହିତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଟେକ୍ସଟାଇଲ ଓ ଆପାରେଲ୍ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି।

ଏହା ଫଳରେ କେବଳ ନିଯୁକ୍ତି ସୃଷ୍ଟି ନୁହେଁ, ବରଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ଥାନୀୟ ସପ୍ଲାଇ ଚେନ୍ ଓ ଦକ୍ଷତା ବିକାଶରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏହା ରାଜ୍ୟରେ ଏକ ସୁଦୃଢ ଶିଳ୍ପ ଇକୋସିଷ୍ଟମ ଗଠନରେ ସାହାଯ୍ୟ କରୁଛି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ଓଡ଼ିଶା ପାଇଁ ଶିଳ୍ପ ଉନ୍ନତିରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୪୧ ହଜାର କୋଟି ଟଙ୍କାର ଅନେକ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଥିବା ବେଳେ, ଏହି ନୂତନ ଆପାରେଲ୍ ୟୁନିଟ୍ ରାଜ୍ୟର ଟେକ୍ସଟାଇଲ୍ କ୍ଷେତ୍ରକୁ ଆହୁରି ଗତିଶୀଳ କରିବ।ରାଜ୍ୟ ସରକାର ଓଡ଼ିଶାକୁ ପୂର୍ବ ଭାରତର “ସୁରାଟ” କିମ୍ବା “ତିରୁପୁର” ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ଏହି ପଦକ୍ଷେପ ଆଗାମୀ ଦିନରେ ଓଡ଼ିଶାକୁ ଏକ ଶିଳ୍ପ ମାନଚିତ୍ରରେ ଆଗୁଆ ରାଜ୍ୟ ଭାବେ ପରିଚିତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *