Sat. Apr 18th, 2026

ନ୍ୟୁଜ ଡେକ୍ସ : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଜନସେବା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇ ‘ସହଜ’ ନାମକ ଏକ ସ୍ୱତନ୍ତ୍ର WhatsApp ଚାଟ୍‌ବଟ୍‌ର ଶୁଭାରମ୍ଭ କରିଛି। ସାଧାରଣ ଲୋକଙ୍କ ସମସ୍ୟାର ଶୀଘ୍ର ଓ ସରଳ ସମାଧାନ ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରଚେଷ୍ଟାରେ ଏହି ଅଭିନବ ପ୍ରଣାଳୀ ଆରମ୍ଭ ହୋଇଛି।

ଏହି ସେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକାର୍ପିତ କରିଥିଲେ। ଏହି ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ, ରାଜସ୍ୱ ବିଭାଗୀୟ କମିଶନର ସଂଗ୍ରାମ କେଶରୀ ମହାପାତ୍ର ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଶାସନକୁ ଲୋକଙ୍କ ନିକଟତର କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ‘ସହଜ’ ଚାଟ୍‌ବଟ୍ ମାଧ୍ୟମରେ ଲୋକମାନେ ସରକାରୀ ସେବାକୁ ସହଜରେ ପହଞ୍ଚିପାରିବେ ଏବଂ ପ୍ରଶାସନ ଅଧିକ ଉତ୍ତରଦାୟୀ ହେବ।ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ କହିଥିଲେ ଯେ, ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଶାସନ ବ୍ୟବସ୍ଥା ସ୍ୱଚ୍ଛ ଓ ସଶକ୍ତ ହୋଇପାରିବ।

ସେ ଲୋକମାନଙ୍କୁ ଏହି ସୁବିଧାର ସଠିକ୍ ବ୍ୟବହାର ପାଇଁ ଆହ୍ୱାନ କରିଥିଲେ। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ କହିଥିଲେ ଯେ, ପ୍ରଶାସନର ସଫଳତା ଲୋକଙ୍କ ପାଖରେ ସେବା ପହଞ୍ଚିବାରେ ନିହିତ। ‘ସହଜ’ ଚାଟ୍‌ବଟ୍ ଦ୍ୱାରା ଜନସାଧାରଣ ଓ ପ୍ରଶାସନ ମଧ୍ୟର ଦୂରତା କମିବ ଏବଂ ବିଶେଷ କରି ଦୁର୍ଗମ ଅଞ୍ଚଳର ଲୋକମାନେ ଉପକୃତ ହେବେ।ଏହି ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଯେକୌଣସି ନାଗରିକ WhatsApp ଦ୍ୱାରା ନିଜର ଅଭିଯୋଗ ପଞ୍ଜିକୃତ କରିପାରିବେ। ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ମଧ୍ୟ ସହଜରେ ପାଇପାରିବେ।

+୯୧ ୮୯୯୯୪ ୭୦୮୨୪ ନମ୍ବରକୁ ସେଭ୍ କରି ସିଧାସଳଖ ଏହି ସେବା ଉପଭୋଗ କରାଯାଇପାରିବ।ଏହି ଅବସରରେ ଜିଲ୍ଲାର ଜଣେ ନାଗରିକ ଶତ୍ରୁଘ୍ନ ପାତ୍ର ପ୍ରଥମେ ଏହି ଚାଟ୍‌ବଟ୍‌ର ବ୍ୟବହାର କରି ଅଭିଯୋଗ ପଞ୍ଜିକରଣର ଆରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏନିମେଟେଡ୍ ଭିଡିଓ ମାଧ୍ୟମରେ ଏହାର କାର୍ଯ୍ୟପ୍ରଣାଳୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା।‘ସହଜ’ ସେବା ୨୪ ଘଣ୍ଟା ଉପଲବ୍ଧ ରହିବା ସହ ଲୋକମାନେ ଫଟୋ ଓ ଦସ୍ତାବିଜ ଅପଲୋଡ୍ କରି ନିଜ ସମସ୍ୟା ଜଣାଇପାରିବେ। ଏହି ଅଭିନବ ପଦକ୍ଷେପ ଝାରସୁଗୁଡ଼ାକୁ ଏକ ସ୍ମାର୍ଟ ଓ ପ୍ରଗତିଶୀଳ ଜିଲ୍ଲା ଭାବେ ପରିଚିତ କରିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *