ନ୍ୟୁଜ ଡେକ୍ସ : ଅଙ୍ଗନବାଡ଼ି କେନ୍ଦ୍ରରେ ଆସୁଛି ଏକ ବଡ଼ ପରିବର୍ତ୍ତନ। ଏବେ କୁନି କୁନି ପିଲାଙ୍କୁ ପାଠ ପଢ଼େଇବେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। ଶିଶୁମାନଙ୍କର ପାଠପଢ଼ା ସହ ସ୍ୱାସ୍ଥ୍ୟ ଓ ସମଗ୍ର ବିକାଶକୁ ଧ୍ୟାନରେ ରଖି ଏହି ପ୍ରୟାସ ଆରମ୍ଭ ହେବାକୁ ଯାଉଛି।ନୂତନ ନିର୍ଦ୍ଦେଶନାମା ଅନୁସାରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଓ କଲେଜ ଅତିକମରେ ୫ରୁ ୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବେ।
ଏଥିରେ ଛାତ୍ରଛାତ୍ରୀମାନେ ସିଧାସଳଖ ଭାବରେ ପିଲାଙ୍କ ସହ ଜୁଡ଼ି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସହଯୋଗ କରିବେ।ବିଶେଷ କରି ଶିକ୍ଷା, ମନୋବିଜ୍ଞାନ, ପୋଷଣ ଓ ସମାଜ ମଙ୍ଗଳ ବିଭାଗର ଛାତ୍ରଛାତ୍ରୀମାନେ ଏଥିରେ ଅଗ୍ରଗାମୀ ଭୂମିକା ନେବେ। ଏହା ଦ୍ୱାରା ୩ରୁ ୬ ବର୍ଷର ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବେ ଓ ତାଙ୍କର ସମଗ୍ର ବିକାଶ ହେବ।ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଫିଲ୍ଡ ୱାର୍କ, ସାମାଜିକ ସେବା ଓ ଇଣ୍ଟର୍ନସିପ ମାଧ୍ୟମରେ ସେମାନେ ପ୍ରାୟୋଗିକ ଅନୁଭୂତି ହାସଲ କରିପାରିବେ।
ସେହିପରି ସମାଜ ପ୍ରତି ଦାୟିତ୍ୱବୋଧ ମଧ୍ୟ ବୃଦ୍ଧି ପାଇବ। ସରକାରୀ ଓ ବେସରକାରୀ ଦୁହେଁ ପ୍ରକାରର ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବ। ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରେ ଏହି ନିଷ୍ପତ୍ତି ପ୍ରକାଶ ପାଇଛି ଏବଂ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଜାରି କରାଯାଇଛି।ଏହା ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରର ଚେହେରା ସମ୍ପୂର୍ଣ୍ଣ ବଦଳିବା ସହ ଶିଶୁ ଶିକ୍ଷାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

