ନ୍ୟୁଜ ଡେକ୍ସ : ଦେଶର ସମସ୍ତ ଟୋଲ ପ୍ଲାଜାରେ ଆଉ ଚଳିବନି ନଗଦ ଟଙ୍କା କାରବାର। ଆସନ୍ତା ୧୦ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକରୀ ହେବାକୁ ଯାଉଛି। ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏନେଇ ଗେଜେଟ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।ନୂଆ ନିୟମ ଅନୁଯାୟୀ, ଟୋଲ ଗେଟରେ ଯାନ ଚାଳକମାନେ ଏବେ କେବଳ FASTag କିମ୍ବା ୟୁପିଆଇ ମାଧ୍ୟମରେ ଟୋଲ ଶୁଳ୍କ ପରିଶୋଧ କରିପାରିବେ।
ଯଦି କୌଣସି ଯାନ ବୈଧ FASTag ବିନା ଟୋଲ ପ୍ଲାଜା ଅତିକ୍ରମ କରେ, ତେବେ ସେହି ଯାନକୁ ୟୁପିଆଇ ମାଧ୍ୟମରେ ଶୁଳ୍କ ଦେବାକୁ ପଡିବ। କିନ୍ତୁ ଏହି କ୍ଷେତ୍ରରେ ସାଧାରଣ ଟୋଲ ମୂଲ୍ୟରୁ ୧.୨୫ ଗୁଣା ଅଧିକ ଦେବାକୁ ପଡିବ।ଜାତୀୟ ରାଜପଥ ପ୍ରାଧିକରଣ (NHAI) ମତାନୁସାରେ, ଟୋଲ ପ୍ଲାଜାରେ ଲମ୍ବା ଯାନ ଲାଇନ କମାଇବା ଓ ଯାତ୍ରାକୁ ସୁଗମ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଫାସଟ୍ୟାଗକୁ ପ୍ରାଥମିକତା ଦେଇ ଡିଜିଟାଲ ଭୁଗତାନକୁ ବୃଦ୍ଧି କରିବା ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।
ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଯଦି କୌଣସି ଯାନ ମାଲିକ କିମ୍ବା ଚାଳକ ନିର୍ଦ୍ଦିଷ୍ଟ ପଦ୍ଧତିରେ ଶୁଳ୍କ ପରିଶୋଧ କରିବାକୁ ଅସ୍ୱୀକାର କରନ୍ତି, ତେବେ ନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।ଏପଟେ, NHAI ର FASTag ବାର୍ଷିକ ପାସ୍ ବ୍ୟବସ୍ଥାକୁ ମଧ୍ୟ ଲୋକମାନଙ୍କ ଭଲ ସମର୍ଥନ ମିଳୁଛି। ଏହି ପାସ୍ ମାଧ୍ୟମରେ ପ୍ରତିବର୍ଷ ୩,୦୦୦ ଟଙ୍କା ଦେଇ ୨୦୦ ଥର ଟୋଲ ଅତିକ୍ରମ କରିପାରିବେ। ଦେଶରେ ବର୍ତ୍ତମାନ ୧,୧୫୦ ରୁ ଅଧିକ ଟୋଲ ପ୍ଲାଜା କାର୍ଯ୍ୟରତ ଅଛି।

