ନ୍ୟୁଜ ଡେକ୍ସ : ଜଗତସିଂହପୁର ଜିଲ୍ଲାର ପାରାଦୀପ ଢିଙ୍କିଆ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ବୃହତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଆଜି ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ରାଜ୍ୟର ଶିଳ୍ପ ବିକାଶ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିବା ସହ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିଲ୍ଲୀରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ମଧ୍ୟ ଓଡ଼ିଶାର ଶିଳ୍ପ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ ସେ ଏହି କାର୍ଯ୍ୟକ୍ରମକୁ ଆସିଛନ୍ତି। ଜେଏସଡବ୍ଲ୍ୟୁ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଓଡ଼ିଶାକୁ ବାଛିଥିବାରୁ ସଜନ ଜିନ୍ଦଲଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୀର୍ଘ ଦୁଇ ଦଶନ୍ଧି ଧରି ସ୍ଥାନୀୟ ଲୋକମାନେ ଯେଉଁ ସ୍ୱପ୍ନ ଦେଖୁଥିଲେ, ରାଜ୍ୟ ସରକାର ତାହାକୁ ସାକାର କରିଛି ବୋଲି ସେ କହିଥିଲେ। ନିର୍ଦ୍ଧାରିତ ସମୟର ଦୁଇ ବର୍ଷ ପୂର୍ବରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ମେଗା ପ୍ରକଳ୍ପରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ସମୁଦାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ବିପୁଳ ପୁଞ୍ଜି ନିବେଶ କରାଯିବ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ ଷ୍ଟିଲ୍ ପ୍ଲାଣ୍ଟରୁ ପ୍ରତିବର୍ଷ ପ୍ରାୟ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବ। ଏହାସହ ଏଠାରେ ୧୨ ମିଲିଅନ୍ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାୱାଟର କ୍ୟାପ୍ଟିଭ୍ ପାୱାର ସିଷ୍ଟମ୍ ଏବଂ ଏକ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ହଜାର ହଜାର ଯୁବକ ଓ ଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ସହିତ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବଢିବା ସହ ଛୋଟ ଓ ମଧ୍ୟମ ଉଦ୍ୟୋଗ ମଧ୍ୟ ଲାଭାନ୍ବିତ ହେବେ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ଜଗତସିଂହପୁର ଜିଲ୍ଲାର ଆର୍ଥିକ ଚିତ୍ରକୁ ପରିବର୍ତ୍ତନ କରିବା ସହ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ସଶକ୍ତ କରିବ ବୋଲି କୁହାଯାଉଛି।କାର୍ଯ୍ୟକ୍ରମରେ ଜେଏସଡବ୍ଲ୍ୟୁ ଗ୍ରୁପ୍ର ଅଧ୍ୟକ୍ଷ ସଜନ ଜିନ୍ଦଲ ଏବଂ ଜାପାନର ସହଯୋଗୀ କମ୍ପାନୀ JFE Steelର ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଏହି ପ୍ରକଳ୍ପକୁ ସ୍ୱାଗତ କରିଥିବା ବେଳେ ଏହା ଅଞ୍ଚଳର ଉନ୍ନତି ଓ ରୋଜଗାର ସୃଷ୍ଟିରେ ନୂଆ ଦିଗ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି।

