ନ୍ୟୁଜ ଡେକ୍ସ : ଆଜି ପବିତ୍ର ତ୍ୟାଗ ଓ ଭକ୍ତିର ପର୍ବ ‘ଉଦ୍-ଉଜ୍-ଜୁହା’କୁ ମୁସଲିମ ସଂପ୍ରଦାୟ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରୁଛନ୍ତି। ଭାଇଚାରାର ସହର କଟକରେ ଏହି ପର୍ବକୁ ନେଇ ସକାଳୁ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମସଜିଦ୍ଗୁଡିକରେ ଭକ୍ତମାନଙ୍କର ଭିଡ ଦେଖିବାକୁ ମିଳିଛି। ସହରର ବିଭିନ୍ନ ଅଞ୍ଚଳରେ ନମାଜ ପାଠ ସହ ଶାନ୍ତି, ସଦ୍ଭାବନା ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଛି। ପର୍ବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ କଟକ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।
ସକାଳ ୭ଟାରେ ଦରଘାବଜାର ସ୍ଥିତ ଛୋଟି ମସଜିଦ୍ରେ ପ୍ରଥମ ସମୂହ ନମାଜ ପାଠ ହୋଇଥିଲା। ଏଥିରେ ଶତାଧିକ ମୁସଲିମ ଭକ୍ତ ଯୋଗଦେଇ ଆଲ୍ଲାଙ୍କ ନିକଟରେ ଦେଶ ଓ ସମାଜର ଶାନ୍ତି କାମନା କରିଥିଲେ। ସେହିପରି କମଦ୍ରସୁଲ ମସଜିଦ୍ରେ ସକାଳ ୮ଟା ଓ ୯ଟାରେ ଦୁଇ ପର୍ଯ୍ୟାୟରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ନମାଜ ପାଠ ପାଇଁ ସକାଳୁ ସହରର ବିଭିନ୍ନ ସ୍ଥାନରୁ ମୁସଲିମ ଭକ୍ତମାନେ ମସଜିଦ୍କୁ ପହଞ୍ଚିଥିଲେ। ଧାର୍ମିକ ଉତ୍ସାହ ସହ ଭକ୍ତମାନଙ୍କ ମଧ୍ୟରେ ଭାଇଚାରାର ଚିତ୍ର ଦେଖିବାକୁ ମିଳିଥିଲା। ଉଦ୍-ଉଜ୍-ଜୁହା ଇସଲାମ ଧର୍ମର ଏକ ପବିତ୍ର ପର୍ବ ହୋଇଥିବା ବେଳେ ଏହା ତ୍ୟାଗ, ନିଷ୍ଠା ଓ ମାନବ ସେବାର ବାର୍ତ୍ତା ଦେଇଥାଏ। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରିବା ସହ ଆବଶ୍ୟକତାରେ ଥିବା ଲୋକଙ୍କୁ ସହାୟତା କରିବାକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। କଟକ ସହରରେ ମଧ୍ୟ ଏହି ପର୍ବକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ପର୍ବକୁ ଦୃଷ୍ଟିରେ ରଖି କଟକ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ପ୍ରମୁଖ ମସଜିଦ୍, ବଜାର ଅଞ୍ଚଳ ଓ ଗଳିକନ୍ଦିରେ ପୋଲିସ ପହରା ବଢାଯାଇଛି।
ଅଧିକାରୀମାନେ ନିରନ୍ତର ଭାବେ ପରିସ୍ଥିତି ଉପରେ ନଜର ରଖୁଥିବା ବେଳେ ସିସିଟିଭି ମାଧ୍ୟମରେ ମଧ୍ୟ ନିରୀକ୍ଷଣ କରାଯାଉଛି।କୌଣସି ପ୍ରକାର ଅପ୍ରୀତିକର ଘଟଣା ନଘଟିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁଚାରୁ ରଖିବା ପାଇଁ ବିଶେଷ ଟିମ୍ ନିଯୁକ୍ତ କରାଯାଇଛି। ପର୍ବକୁ ଶାନ୍ତି ଓ ସମ୍ପ୍ରୀତିର ସହ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପ୍ରୀତି ପାଇଁ ପରିଚିତ କଟକ ସହରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଉଦ୍-ଉଜ୍-ଜୁହା ଶାନ୍ତିପୂର୍ଣ୍ଣ ପରିବେଶରେ ପାଳନ ହେଉଛି। ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଏହି ପର୍ବ ଅବସରରେ ପରସ୍ପରକୁ ଶୁଭେଚ୍ଛା ଜଣାଇ ସମ୍ପ୍ରୀତିର ବାର୍ତ୍ତା ଦେଇଛନ୍ତି।

