ନ୍ୟୁଜ ଡେକ୍ସ : ରାଜସ୍ୱ ସେବାକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଖୁବଶୀଘ୍ର ‘ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ଅଧୀନରେ ପଞ୍ଚାୟତ ଓ ଗ୍ରାମସ୍ତରରେ ତହସିଲ କ୍ୟାମ୍ପ କୋର୍ଟ ଆୟୋଜନ କରାଯିବ। ଏନେଇ ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଗତ ଦୁଇ ବର୍ଷରେ ବିଭାଗର ବିଭିନ୍ନ ସଫଳତା ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଲୋକଙ୍କ ପାଖରେ ରାଜସ୍ୱ ସେବା ପହଞ୍ଚିବା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସୁରେଶ ପୂଜାରୀ କହିଥିଲେ, ସରକାରଙ୍କ ଯୋଜନା ଓ ପଦକ୍ଷେପକୁ ସାଧାରଣ ଲୋକ ସଫଳ ବୋଲି ମାନିଲେ ତାହାକୁ ହିଁ ବାସ୍ତବ ସଫଳତା ବୋଲି ଧରାଯିବ। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯିବ। ସେମାନେ ଜିଲ୍ଲା ଗସ୍ତ କରି ରାତ୍ରିରହଣି ସହ ଲୋକଙ୍କ ମତାମତ ସଂଗ୍ରହ କରିବେ ଓ ସରକାରୀ ରାଜସ୍ୱ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ‘ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ ଅଧୀନରେ ଗ୍ରାମ ଓ ପଞ୍ଚାୟତ ସ୍ତରରେ କ୍ୟାମ୍ପ କୋର୍ଟ ହେବ। ପୂର୍ବରୁ ଲୋକମାନଙ୍କୁ ବିଭିନ୍ନ କାମ ପାଇଁ ତହସିଲ କାର୍ଯ୍ୟାଳୟ ଯିବାକୁ ପଡୁଥିଲା। ଏବେ ତହସିଲ ଅଧିକାରୀମାନେ ଗାଁକୁ ପହଞ୍ଚି ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବେ। ପ୍ରଜା ଖାନା ସଂଶୋଧନ, ଜମି ଡିମାର୍କେସନ ସହ ବିଭିନ୍ନ ରାଜସ୍ୱ ସେବା ସେଠାରେ ଯୋଗାଇ ଦିଆଯିବ।
କ୍ୟାମ୍ପ କୋର୍ଟ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗର ଶୁଣାଣି କରାଯାଇ ତ୍ୱରିତ ସେବା ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳରେ ଚାଷ ଜମି କିସମ ପରିବର୍ତ୍ତନ ନିୟମକୁ ସରଳ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।ବୈଠକରେ ସୂଚନା ଦିଆଯାଇଥିଲା ଯେ, ବିଗତ ଦୁଇ ବର୍ଷ ମଧ୍ୟରେ ORTPS ଆଇନ ଆଧାରରେ ୨.୫ କୋଟିରୁ ଅଧିକ ରାଜସ୍ୱ ସେବା ଲୋକମାନଙ୍କୁ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଏହି ସେବାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।ଏହାସହ ବିସ୍ଥାପିତ ଲୋକଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରି ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

