Thu. Jun 4th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ସ୍ଥିତିର ପ୍ରଭାବ ଏବେ ବିଶ୍ୱବଜାରରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଅଶୋଧିତ ତୈଳ ଯୋଗାଣ ଓ ପରିବହନ ବ୍ୟବସ୍ଥା ଉପରେ ଚାପ ବଢ଼ିବା ପରେ ଅନେକ ଦେଶରେ ତୈଳ ସଂକଟ ନେଇ ଚିନ୍ତା ବୃଦ୍ଧି ପାଇଛି। ଏହାର ପ୍ରଭାବରୁ ଭାରତ ମଧ୍ୟ ମୁକ୍ତ ନୁହେଁ। ଇନ୍ଧନ ସଞ୍ଚୟ ଏବଂ ଅନାବଶ୍ୟକ ଯାତାୟାତକୁ କମାଇବା ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଏବେ ବିକଳ୍ପ ବ୍ୟବସ୍ଥା ଆପଣାଇବାରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ଦିଲ୍ଲୀ ପରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ୱାର୍କ ଫ୍ରମ ହୋମ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି। ଏହାରି ଭିତରେ ଓଡ଼ିଶା ହାଇକୋର୍ଟ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତୈଳ ସଂକଟକୁ ଦୃଷ୍ଟିରେ ରଖି ହାଇକୋର୍ଟ କାର୍ଯ୍ୟକଳାପକୁ ଭର୍ଚୁଆଲ୍‌ ମୋଡ୍‌ରେ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି। ହାଇକୋର୍ଟ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ ଅନୁସାରେ ଆସନ୍ତା ୧୯ ଓ ୨୧ ତାରିଖରେ ଭର୍ଚୁଆଲ୍‌ ମୋଡ୍‌ରେ ମାମଲାର ଶୁଣାଣି କରାଯିବ। ସେହିପରି ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍‌ ମାଧ୍ୟମରେ ଚାଲିବାକୁ ଥିବା ସୂଚନା ମିଳିଛି।

ଏହି ସମୟରେ କୋର୍ଟରେ କେବଳ ୫୦ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି।ତୈଳ ସଂକଟ ଯୋଗୁଁ ସରକାରୀ ସ୍ତରରେ ଇନ୍ଧନ ସଞ୍ଚୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଭର୍ଚୁଆଲ୍‌ ବ୍ୟବସ୍ଥା ଦ୍ୱାରା ଯାତାୟାତ ଖର୍ଚ୍ଚ କମିବା ସହିତ ସମୟ ସଞ୍ଚୟ ମଧ୍ୟ ହେବ ବୋଲି ଆଶା କରାଯାଉଛି। କୋର୍ଟ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନକରି ପ୍ରଯୁକ୍ତିର ସହାୟତାରେ ନ୍ୟାୟିକ ପ୍ରକ୍ରିୟାକୁ ସାମ୍ନାକୁ ବଢ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *