ନ୍ୟୁଜ ଡେକ୍ସ : ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ସଂଗଠନ ସୁଦୃଢୀକରଣ ଓ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ଗସ୍ତ ଅବସରରେ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଜନତାଙ୍କ ଆସ୍ଥାକୁ ବହୁଗୁଣିତ କରି ବିକଶିତ ଓଡ଼ିଶା ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ।
ରାଜ୍ୟର ସାଙ୍ଗଠନିକ ସ୍ଥିତି ଓ ସରକାର କିପରି ଅଧିକ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେନେଇ ସେ ଦଳୀୟ ନେତାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟତା ବଢ଼ାଇବା ଆବଶ୍ୟକ ବୋଲି ସେ କହିଥିଲେ।ପରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଜେପିର ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬’ରେ ଯୋଗଦେଇ ସେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଓ ବିଚାରଧାରା ସହ ଯୋଡ଼ିବାରେ ଦଳର ପ୍ରାଥମିକତା ବିଷୟରେ ଉଲ୍ଲେଖ କରିଥିଲେ। ଏନେଇ ରାଜ୍ୟ ସାଧାରଣ ସମ୍ପାଦକ ବିଂରଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସଭାପତିଙ୍କ ଯୋଗଦାନ ଦଳ କାର୍ଯ୍ୟକର୍ତ୍ତାଙ୍କ ବିକାଶ ପ୍ରତି ବିଜେପିର ପ୍ରତିବଦ୍ଧତାକୁ ପ୍ରକାଶ କରୁଛି।
ଗସ୍ତ ଅବସରରେ ନୀତିନ ନବୀନ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ମହାପ୍ରସାଦ ସେବନ କରିଥିଲେ। ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ସାମିଲ ହୋଇଥିଲେ।ପରେ ଭୁବନେଶ୍ୱରସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ସେ ସମସ୍ତ ପଦାଧିକାରୀ, ସାଂସଦ ଓ ବିଧାୟକମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା, ବୈଜୟନ୍ତ ପଣ୍ଡା, ବିଜୟପାଲ ସିଂ ତୋମାର ଓ ଲତା ଉଷେଣ୍ଡିଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।ଦୁଇଦିନିଆ ଗସ୍ତ ସମାପ୍ତ ପରେ ନୀତିନ ନବୀନ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯାଇଥିଲେ।

