Thu. Jun 4th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ଖରାର ପ୍ରଭାବ ବଢିବାରେ ଲାଗିଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ତାତି ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଥିବାବେଳେ ରାସ୍ତାଘାଟରେ ଲୋକଙ୍କ ଯାତାୟାତ ମଧ୍ୟ କମିଯାଇଛି।ଆଜି ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ବୋଲି କୁହାଯାଇଛି।ପ୍ରବଳ ତାତି ଯୋଗୁଁ ଅଂଶୁଘାତ ଆଶଙ୍କା ବଢିଥିବାବେଳେ ଏହାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ହସ୍ପିଟାଲ ପକ୍ଷରୁ ORS କାଉଣ୍ଟର ଖୋଲାଯାଇଥିବାବେଳେ ଲୋକମାନଙ୍କୁ ଥଣ୍ଡା ପାଣି ବଣ୍ଟନ କରାଯାଉଛି।

ଅଂଶୁଘାତ ରୋଗୀଙ୍କ ପାଇଁ ୧୦ଟି ବେଡ଼ ବିଶିଷ୍ଟ ଏସି ହିଟ୍ ଷ୍ଟ୍ରୋକ୍ ୱାର୍ଡ ମଧ୍ୟ ପ୍ରସ୍ତୁତ ରହିଛି। ଅନ୍ୟପଟେ ଦିନ ମଜୁରୀଆଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦିନ ୧ଟାରୁ ୫ଟା ପର୍ଯ୍ୟନ୍ତ କାମ ନ କରିବାକୁ ନିର୍ଦେଶ ଜାରି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଲୋକମାନଙ୍କୁ ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଇବା ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *