Thu. Jun 4th, 2026

ନ୍ୟୁଜ ଡେକ୍ସ :କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଧୀନ ଚଡ଼ାଇଗୁଆଁସ୍ଥିତ ଯୁଗରୂପା ବିଦ୍ୟାଭବନରେ ଲାଞ୍ଚ କାରବାରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଦାସଙ୍କୁ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦରମା କରାଇଦେବା ନାମରେ ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ ରଙ୍ଗେହାତ ଧରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ସ୍ଥାନୀୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସମ୍ପୃକ୍ତ ବିଦ୍ୟାଳୟରେ ଦୁଇଜଣ କର୍ମଚାରୀ ଆଉଟସୋର୍ସିଙ୍ଗ ଭିତ୍ତିରେ କାର୍ଯ୍ୟ କରୁଥିଲେ। କର୍ମଚାରୀମାନଙ୍କ ଉପସ୍ଥାନ ଦାଖଲ କରିବା ସହିତ ସେମାନଙ୍କ ଦରମା ପ୍ରକ୍ରିୟାକୁ ଅନୁମୋଦନ କରାଇଦେବା ପାଇଁ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ଲାଞ୍ଚ ଦାବି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହେବା ପରେ ଏକ ସୁଯୋଜିତ ଫାନ୍ଦ କରାଯାଇଥିଲା । ସୋମବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସର ଭିତରେ ପ୍ରଧାନ ଶିକ୍ଷକ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛକି ରହିଥିବା କଟକ ଭିଜିଲାନ୍ସ ଟିମ ଅଚାନକ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ତାଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ଟଙ୍କାକୁ ଜବତ କରିବା ସହିତ ପ୍ରଧାନ ଶିକ୍ଷକଙ୍କୁ ତତ୍କ୍ଷଣାତ୍ ଅଟକ ରଖି ପଚରାଉଚରା କରିଥିଲେ।ଏହାପରେ ଭିଜିଲାନ୍ସ ଟିମ ପକ୍ଷରୁ ତାଙ୍କ ବାଲଣାସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେଠାରୁ ଆବଶ୍ୟକତାଠାରୁ ଅଧିକ ପରିମାଣର ନଗଦ ଟଙ୍କା ଓ ସୁନା ଅଳଙ୍କାର ମିଳିଥିବା ସୂଚନା ମିଳିଛି। ଜବତ ହୋଇଥିବା ସମ୍ପତ୍ତିର ପରିମାଣ ଓ ଉତ୍ସ ସମ୍ପର୍କରେ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଛି।ଏହି ଘଟଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ କେଶ ନଂ ୨୦/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଲାଞ୍ଚ ନେବା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଥିବାବେଳେ ଘଟଣା ସହ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ ସେନେଇ ମଧ୍ୟ ଅଧିକ ଅନୁସନ୍ଧାନ ଚାଲିଛି। ସ୍କୁଲ ଭଳି ଶିକ୍ଷାନୁଷ୍ଠାନରେ ଏପରି ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକ ଓ ଅଭିଭାବକମାନେ ଏପରି ଘଟଣାକୁ ନିନ୍ଦା କରିଥିବାବେଳେ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *