Thu. Jun 4th, 2026

ନ୍ୟୁଜ ଡେକ୍ସ : ଦେଶରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଗତ ୪ ଦିନ ତଳେ ତେଲ ଦର ବଢ଼ିଥିବାବେଳେ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପ୍ରତିଦିନ ଅନ୍ତର୍ଜାତୀୟ ବଜାର ଦରକୁ ଆଧାର କରି ନୂଆ ତେଲ ଦର ନିର୍ଦ୍ଧାରଣ କରାଯାଉଥିବାବେଳେ ଆଜିର ବୃଦ୍ଧି ଗାଡ଼ିଚାଳକଙ୍କ ଉପରେ ଅଧିକ ଆର୍ଥିକ ଭାର ପକାଇଛି।

ନୂଆ ଦର ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୮୭ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୯୧ ପଇସା ବଢ଼ିଛି। ଏହାପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୮ ଟଙ୍କା ୬୪ ପଇସାକୁ ପହଞ୍ଚିଥିବାବେଳେ ଡିଜେଲ ଦର ୯୧ ଟଙ୍କା ୫୮ ପଇସା ହୋଇଛି।ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ୫୯ ପଇସା ହୋଇଥିବାବେଳେ ଡିଜେଲ ଦର ୯୪ ଟଙ୍କା ୦୮ ପଇସାକୁ ବୃଦ୍ଧି ପାଇଛି। ବାରମ୍ବାର ତେଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ମାସିକ ଖର୍ଚ୍ଚ ଉପରେ ପ୍ରଭାବ ପଡ଼ିବା ସହ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିବାର ଆଶଙ୍କା ଦେଖାଦେଇଛି।

ତେଲ ଦର ବୃଦ୍ଧି ପରେ ଗାଡ଼ିଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ଅନେକେ ଆବଶ୍ୟକ ହେଲେ ମାତ୍ର ଗାଡ଼ି ବାହାର କରିବାକୁ ଯୋଜନା କରୁଛନ୍ତି। ବିଶେଷକରି ଦୈନିକ ଯାତାୟାତ କରୁଥିବା ଲୋକ ଓ ବାଣିଜ୍ୟିକ ଯାନ ଚାଳକଙ୍କ ପାଇଁ ଏହି ଦର ବୃଦ୍ଧି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଏହି ପରିସ୍ଥିତିରେ ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ତେଲ ଦର ଯାଞ୍ଚ କରିବା ସହ ଆବଶ୍ୟକ ଅନୁଯାୟୀ ଯାତାୟାତ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

Leave a Reply

Your email address will not be published. Required fields are marked *