Thu. Jun 4th, 2026

ନ୍ୟୁଜ ଡେକ୍ସ : ମୁଜାଫରପୁରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ଗୁରୁବାର ଭୋର ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସହରର ସବୁଠାରୁ ବଡ଼ ହସ୍ପିଟାଲ ‘ପ୍ରସାଦ ହସ୍ପିଟାଲ’ର ଆଇସିୟୁରେ ପ୍ରାୟ ରାତି ୩ଟା ସମୟରେ ନିଆଁ ଲାଗି ଯିବାରୁ ଅନେକ ରୋଗୀଙ୍କ ଜୀବନ ହାନି ଘଟିଛି।ସୂଚନା ଅନୁଯାୟୀ, ଆଇସିୟୁରେ ୧୫ଟି ଶଯ୍ୟାରେ ରୋଗୀମାନେ ଚିକିତ୍ସାଧୀନ ଥିଲେ। ଅଗ୍ନିକାଣ୍ଡ ପରେ ସମଗ୍ର ୱାର୍ଡ ଧୂଆଁରେ ଭରିଯାଇଥିବାରୁ ରୋଗୀମାନଙ୍କୁ ଶ୍ୱାସ ନେବାରେ ଗୁରୁତର ସମସ୍ୟା ହୋଇଥିଲା।

ପ୍ରାଥମିକ ଭାବରେ ସର୍ଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଘଟଣା ପରେ ଅଗ୍ନିଶମ ବିଭାଗ ଓ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୋଟ ୧୫ ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଅବଶିଷ୍ଟ ୧୨ ଜଣ ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା ଦିଆଯାଉଛି।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ପ୍ରାୟ ୬ଟି ଅଗ୍ନିଶମ ଗାଡ଼ି ମାଧ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଧିକାରୀମାନେ ଆଶଙ୍କା କରୁଛନ୍ତି ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ, କାରଣ ଅନେକ ରୋଗୀଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଶୋକର ଛାୟା ଖେଳିଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *