Wed. Jun 3rd, 2026

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ତ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଶନିବାର ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ଆସନ୍ତା ୨୫ ତାରିଖରେ ଏହାର ଶୁଣାଣି କରିବେ। ପୀଠରେ ଜୟମାଲ୍ୟ ବାଗ୍‌ଚୀ ଓ ବିପୁଲ ପାଞ୍ଚୋଲି ମଧ୍ୟ ସାମିଲ ଅଛନ୍ତି।ଅନ୍ୟପଟେ ତ୍ବିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କୁ ଶନିବାର ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା।

ଅଦାଲତ ତାଙ୍କୁ ସାତ ଦିନ ପାଇଁ ପୁଲିସ ହାଜତକୁ ପଠାଇଛନ୍ତି। ତ୍ବିଶାଙ୍କ ମୃତ୍ୟୁ ପରେ ଦଶ ଦିନ ଧରି ଫେରାର ଥିବା ସମର୍ଥ ଶୁକ୍ରବାର ଜବଲପୁରର ଏକ ଅଦାଲତରେ ଆତ୍ମସମର୍ପଣ କରିଥିଲେ।ଶନିବାର ପ୍ରଥମେ ସମର୍ଥଙ୍କୁ ଭୋପାଳର କଟାରା ହିଲ୍ସ ଥାନାକୁ ଅଣାଯାଇଥିଲା। ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସମର୍ଥଙ୍କ ଓକିଲ ପୁଲିସ ହାଜତ ଆବେଦନକୁ ବିରୋଧ କରି ସାତ ଦିନ ପରିବର୍ତ୍ତେ ଗୋଟିଏ ଦିନ ପୁଲିସ ହେପାଜତରେ ରଖିବାକୁ ଯୁକ୍ତି ଦେଇଥିଲେ। ତେବେ ଅଦାଲତ ପୁଲିସର ଆବେଦନକୁ ମଞ୍ଜୁର କରିଥିଲେ।ଅପରପକ୍ଷରେ ସମର୍ଥଙ୍କ ଓକିଲାତି ଅନୁମତିପତ୍ରକୁ ଭାରତୀୟ ବାର୍‌ ପରିଷଦ ପକ୍ଷରୁ ବାତିଲ କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସମର୍ଥଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗୁରୁତର ଏବଂ ଏହା ଆଇନ ପେସାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି।

ଭାରତୀୟ ବାର୍‌ ପରିଷଦର ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି ଯେ ଯୌତୁକ ନିର୍ଯାତନା ଓ ପରବର୍ତ୍ତୀ ସମୟରେ ତ୍ବିଶାଙ୍କ ଆତ୍ମହତ୍ୟା ଭଳି ଗୁରୁତର ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ସମର୍ଥ ତଦନ୍ତରେ ସହଯୋଗ କରୁନଥିବାରୁ ଜଣେ ଓକିଲ ଭାବେ ସେ ଏହି ପେସାରେ ରହିବା ଉଚିତ୍‌ ନୁହେଁ।ଇତିମଧ୍ୟରେ ତ୍ବିଶାଙ୍କ ମୃତଦେହର ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରିବାକୁ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏହାକୁ ଆଧାର କରି ଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ଚାରିଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି।

ସଂସ୍ଥାର ନ୍ୟାୟ ବୈଜ୍ଞାନିକ ଚିକିତ୍ସା ବିଭାଗ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ଯେ ଡାକ୍ତରୀ ଦଳ ଗଠନ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସଂସ୍ଥାର ନିର୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ବର୍ତ୍ତମାନ ତ୍ବିଶାଙ୍କ ମୃତଦେହ ଭୋପାଳସ୍ଥିତ ଶବାଗାରରେ ରଖାଯାଇଛି। ଖୁବଶୀଘ୍ର ଡାକ୍ତରୀ ଦଳ ଏକ ସ୍ୱତନ୍ତ୍ର ବିମାନରେ ଭୋପାଳ ଯିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *