ନ୍ୟୁଜ ଡେକ୍ସ : ଆଇପିଏଲ୍ ୨୦୨୬ରେ ନିଜ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଚର୍ଚ୍ଚାରେ ଥିବା ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ପ୍ରଶଂସାର ବର୍ଷା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ସେ ବୈଭବଙ୍କ ଅସାଧାରଣ ପ୍ରଦର୍ଶନକୁ ସଲାମ ଜଣାଇଛନ୍ତି।ଅମିତାଭ ବଚ୍ଚନ ନିଜ ପୋଷ୍ଟରେ ଲେଖିଛନ୍ତି, “ସୂର୍ଯ୍ୟବଂଶୀ – ୧୫ ବର୍ଷ ବୟସରେ ଏକ ଆଶ୍ଚର୍ଯ୍ୟଜନକ ସୂର୍ଯ୍ୟ। ଏହି ବୟସରେ ଆମେ ବାଣ୍ଟୋ ଏବଂ ଗୁଲି ଦଣ୍ଡା ମଧ୍ୟ ଠିକ୍ ଭାବରେ ଖେଳିପାରିନଥିଲୁ।” ତାଙ୍କର ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି।
ଅନେକ ପ୍ରଶଂସକ ଅମିତାଭଙ୍କ ମତକୁ ସମର୍ଥନ କରିଥିବା ବେଳେ କିଛି ଲୋକ ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି।ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ସୂର୍ଯ୍ୟବଂଶୀ ଚଳିତ ଆଇପିଏଲର ପ୍ଲେ-ଅଫ୍ ପର୍ଯ୍ୟାୟରେ ନିଜ ପ୍ରତିଭାର ଜୋରଦାର ପ୍ରମାଣ ଦେଇଥିଲେ। ପ୍ରଥମ କ୍ୱାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ମାତ୍ର ୩୭ଟି ବଲରେ ୧୦୩ ରନ୍ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହାପରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ଦ୍ୱିତୀୟ କ୍ୱାଲିଫାୟରରେ ମଧ୍ୟ ବୈଭବ ନିଜ ଧମାକାଦାର ବ୍ୟାଟିଂ ଜାରି ରଖିଥିଲେ। ସେ ୪୭ଟି ବଲରେ ୯୬ ରନ୍ ସଂଗ୍ରହ କରି କ୍ରିକେଟ ପ୍ରେମୀଙ୍କ ମନ ଜିତିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ନେଇ କମେଣ୍ଟେଟର ଓ ବିଶେଷଜ୍ଞମାନେ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।ତେବେ ବୈଭବଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ରାଜସ୍ଥାନ ରୟାଲ୍ସ ଫାଇନାଲରେ ପହଞ୍ଚିପାରି ନଥିଲା।
ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲଙ୍କ ବିସ୍ଫୋରକ ଇନିଂସ ବଳରେ ଦଳ ଦ୍ୱିତୀୟ କ୍ୱାଲିଫାୟର ଜିତି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଏହା ସହ ରାଜସ୍ଥାନ ରୟାଲ୍ସର ଟ୍ରଫି ଜିତିବା ସ୍ୱପ୍ନ ଅଧୁରା ରହିଯାଇଥିଲା।ତଥାପି ଅଳ୍ପ ବୟସରେ ବୈଭବ ସୂର୍ଯ୍ୟବଂଶୀ ଯେଉଁ ଭଳି ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି, ତାହା ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବେ ପରିଚିତ କରାଇଛି। ତାଙ୍କ ଖେଳକୁ ନେଇ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବହୁତ ଆଶା ଓ ଉତ୍ସାହ ଦେଖିବାକୁ ମିଳୁଛି।

